ଓଡ଼ିଶା ଲିଡ୍ସ(ବ୍ୟୁରୋ): ନୂଆପଡା ଉପନିର୍ବାଚନ ପାଇଁ ବିଜେଡି ତାର ପ୍ରାର୍ଥୀ ଘୋଷଣା କରିଛି । ଅତାବିରାର ପୂର୍ବତନ ବିଧାୟିକା ତଥା ବିଜୁ ଜନତା ଦଳର ମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କ ନାମରେ ମୋହର ମାରିଛନ୍ତି ଦଳ ସଭାପତି ନବୀନ ପଟ୍ଟନାୟକ । ବିଜେଡି ମହିଳା କାର୍ଡ ଖେଳିଛି । ସ୍ୱର୍ଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ବିଜେଡି ଛାଡି ବିଜେପିରେ ମିଶିବା ବିଜେଡିକୁ ଚକିତ କରିଥିଲା । ଦଳ ଜୟଙ୍କୁ ପ୍ରାର୍ଥୀ କରି ଅନୁକମ୍ପା ଭୋଟରେ ବିଜୟୀ ହେବାକୁ ରଣନୀତି ଆଙ୍କିଥିଲା ବେଳେ ଜୟ କିନ୍ତୁ ଦଳ ଛାଡି ଦେଇଥିଲେ । ଏହା ପରେ ବିଜେଡି କାହାକୁ ପ୍ରାର୍ଥୀ କରିବ ତାକୁ ନେଇ ଚିନ୍ତାରେ ପଡ଼ି ଯାଇଥିଲା । ବ୍ୟାପକ ବିଚାର ବିମର୍ଷ ଚାଲିଥିଲା ବେଳେ ଆଜି ସ୍ନେହାଙ୍ଗିନୀଙ୍କ ଉପରେ ଭରସା କରିଛି ଦଳ । ଅପରପକ୍ଷେ ବିଜେପି ଜୟ ଢୋଲକିଆଙ୍କ ନାମରେ ମୋହର ମାରି ତାଙ୍କୁ ପ୍ରାର୍ଥୀ କରିଛି । ନୂଆପଡା ଉପନିର୍ବାଚନରେ କଂଗ୍ରେସରୁ ଘାସିରାମ ମାଝୀ, ବିଜେପିରୁ ଜୟ ଢୋଲକିଆ ଓ ବିଜେଡିରୁ ସ୍ନହେଙ୍ଗିନୀ ଛୁରିଆ ପ୍ରାର୍ଥୀ ହୋଇଛନ୍ତି । ଏଠାରେ ତିନି ପ୍ରାର୍ଥୀଙ୍କ ମଧ୍ୟରେ କଡା ଟକର ହେବା ନିଶ୍ଚିତ ହୋଇଛି ।




















