ଓଡ଼ିଶା ଲିଡ୍ସ(ବ୍ୟୁରୋ): ବେଶ କିଛି ବର୍ଷ ହେଲା ହାତ ବାନ୍ଧି ବସିଥିବା କାଠ ମାଫିଆ ଏବେ ପୁଣି ସୁକିନ୍ଦାରେ ସକ୍ରିୟ ହୋଇ ପଡିଛନ୍ତି । ବନ ବିଭାଗର ନୀରବତାର ସୁଯୋଗ ନେଇ ପୁଣି ମାଫିଆ କାଠ କାଟିବା ଆରମ୍ଭ କରିଛନ୍ତି । ବିଗତ ଦିନରେ ସୁକିନ୍ଦାରେ ସବୁଜ ବିପ୍ଳବ ଜରିଆରେ ବ୍ୟାପକ ବୃକ୍ଷ ରୋପଣ ହୋଇଥିଲା । ହେଲେ ଏବେ ସେହି ଗଛ ଗୁଡିକୁ କାଟି ନେଉଛନ୍ତି ମାଫିଆ । ଏଭଳି ଚିତ୍ର ଦେଖିବାକୁ ମିଳିଛି କଟକ ବନଖଣ୍ଡ ଅଧିନ ସୁକିନ୍ଦା ବନାଞ୍ଚଳରେ । ସୁକିନ୍ଦା ବନାଞ୍ଚଳ ରାସୋଳ ବନପାଳଙ୍କ କାର୍ଯ୍ୟାଳୟ ଠାରୁ ମାତ୍ର ୫୦ ମିଟର ଦୂରତାରେ ଥିବା କଲରଙ୍ଗି କ୍ରୋମାଇଟ ଖଣିର ବନୀ କରଣ ଜଙ୍ଗଲରୁ ଏହି ସବୁ ଗଛ କଟା ଯାଇଛି । କଟା ହୋଇଥିବା ଗଛ ମଧ୍ୟରେ ଚାକଣ୍ଡା ଗଛ ସହିତ ମୁଲ୍ୟବାନ ସାଗୁଆନ ଗଛ ଥିବା ଜଣାଯାଇଛି । କଟା ଯାଇଥିବା ଗଛର ମୂଳ ଏବେ ଛିଡ଼ା ହୋଇ ରହିଛି । ଏହି ଗଛ ଗୁଡିକ ଚାରି ପାଞ୍ଚ ମାସ ମଧ୍ୟରେ କଟା ଯାଇଥିବା ସନ୍ଦେହ ହେଉଛି । ଏହି ସ୍ଥାନର ଅନତି ଦୂରରେ ବନ କାର୍ଯ୍ୟାଳୟ ରହିଥିଲା ବେକେ ବନ ବିଭାଗ କର୍ମଚାରୀ ସବୁ ସମୟରେ ଗତାଗତ କରୁଛନ୍ତି । ଅନ୍ୟ ପଟରେ ଓଏମସିର ନିରାପତ୍ତା ରକ୍ଷୀ ମଧ୍ୟ ଗତାଗତ କରୁଛନ୍ତି । ହେଲେ ସୁରକ୍ଷାକୁ ଖାତିର ନକରି କାଠ ମାଫିଆ ଗଛ କାଟି ନେବା ସାଧାରଣ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି । ଏ ବିଷୟ ବନ ବିଭାଗ ଜାଣି ନାହିଁ ନା ଜାଣିଶୁଣି କାଠ ମାଫିଆଙ୍କୁ କାଠ କାଟିବାକୁ ପ୍ରଶ୍ରୟ ଦେଉଛି ତାହା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବନ ବିଭାର ନିରବତାର ସୁଯୋଗ ନେଇ ମାଫିଆ ସକ୍ରିୟ ହେବା ସୁକିନ୍ଦାର ବଣ ଜଙ୍ଗଲ ପ୍ରତି ବିପଦର ଆଭାଷ ଦେଉଛି । ଏବେ ଠାରୁ କାଠ ମାପିଆଙ୍କ ଉପରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ଆଗକୁ କାଠ ମାଫିଆ ଅଧିକ ସକ୍ରିୟ ହୋଇ ଗଛ କାଟି ଅଧିକ କାଠ ଲୁଟ କରିବେ ବୋଲି ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି । ଏ ନେଇ ବୁଦ୍ଧିଜୀବି ଚିନ୍ତା ପ୍ରକଟ କରିବା ସହିତ ବନ ବିଭାଗର ଉଚ୍ଚ ଅଧିକାରୀ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଛନ୍ତି ।
