ଓଡ଼ିଶା ଲିଡ୍ସ(ଯାଜପୁର): ଯାଜପୁର ଜିଲ୍ଲାର ଅନ୍ୟତମ ବ୍ୟସ୍ତ ବହୁଳ ରାସ୍ତା ବରୁଆଁ- ଯାଜପୁର ରାସ୍ତା ଏବେ ମରଣ ଯନ୍ତା ପାଲଟି ଯାଇଛି । ବରୁଆଁ ଠାରୁ ବୁଢା ପୋଲ ପର୍ଯ୍ୟନ୍ତ ରାସ୍ତାର ଏବେ ପ୍ରଶସ୍ତିକରଣ କାର୍ଯ୍ୟ ଚାଲୁ ରହିଛି । ଫଳରେ ଏହି ରାସ୍ତାରେ ଗାଡ଼ି ଚଳାଇବା ବିପଦପୂର୍ଣ୍ଣ ହୋଇ ପଡିଛି । ହେଲେ ଏହି ରାସ୍ତାର ମଲ୍ଲିକାପୁର ଠାରୁ ମାନସାପୋଲ ପର୍ଯ୍ୟନ୍ତ ରାସ୍ତା ଏବେ ଶୋଚନୀୟ ହୋଇ ପଡିଛି । ବିଗତ ଦିନରେ ଏହି ରାସ୍ତା ଦେଇ ଦୈନିକ ଶହ ଶହ ସଂଖ୍ୟାରେ ବାଲି ବୋଝେଇ ଗାଡି ଯିବା ଦ୍ୱାରା ରାସ୍ତା ଅବସ୍ଥା ଶୋଚନୀୟ ହୋଇ ପଡିଛି । ହେଲେ ଜାତୀୟ ରାଜପଥ ବିଭାଗ ପକ୍ଷରୁ ଏହାର ସ୍ଥାୟୀ ମରାମତି କରାଯାଉନାହିଁ । ନିକଟରେ ଏହି ରାସ୍ତାକୁ ପିଚୁ କରାଯିବା ପାଇଁ ଟେଣ୍ଡର ଆହ୍ୱାନ କରାଯାଇଥିଲା । ଏକ ଠିକା ସଂସ୍ଥା ଏହି କାମର ଦାୟିତ୍ୱ ନେଇଥିଲେ ମଧ୍ୟ କାର୍ଯ୍ୟ ଆରମ୍ଭ କରୁନଥିବା ଜଣାଯାଇଛି । ପୂର୍ବରୁ ମରାମତି ନାମରେ ବିଭିନ୍ନ ଖାଲ ସ୍ଥାନରେ ଢ଼ଳେଇ କରାଯାଇଥିଲା । ଫଳରେ ରାସ୍ତା ବିଭିନ୍ନ ସ୍ଥାନରେ ଅସମତଳ ହୋଇ ଯାଇଛି । ବିଭିନ୍ନ ସ୍ଥାନରେ ପିଚୁ ଉଠି ରାସ୍ତା ମଧ୍ୟ ଶୋଚନୀୟ ହୋଇ ପଡିଛି । ଏହି ରାସ୍ତା ଦେଇ ଦୈନିକ ହଜାର ହଜାର ଗାଡି ଗତାଗତ କରୁଥିଲା ବେଳେ ବହୁ ସମୟରେ ଦୁର୍ଘଟଣା ମଧ୍ୟ ଘଟୁଛି । ଜାତୀୟ ରାଜପଥ ବିଭାଗ ପକ୍ଷରୁ ତୁରନ୍ତ ଏହି ରାସ୍ତାକୁ ମରାମତି କରି ସ୍ଥାୟୀ ପିଚୁ କରିବାକୁ ଦାବି ହୋଇଛି ।
