ଓଡ଼ିଶା ଲିଡ୍ସ(ବ୍ୟୁରୋ): ଯାଜପୁର ଜିଲ୍ଲାର ସୁକିନ୍ଦା । ସୁକିନ୍ଦାକୁ କୁହା ଯାଏ ସୁନାର ସୁକିନ୍ଦା । ଅସରନ୍ତି ଖଣିଜ ସମ୍ପଦରେ ଭରପୁର ସୁକିନ୍ଦା ସାରା ବିଶ୍ୱରେ ପରିଚିତ । ଗୋଟିଏ ପଟେ ମାଟି ତଳେ ଖଣିଜ ସଂପଦ ଭରି ରହିଥିଲା ବେଳେ ମାଟି ଉପରେ ସୁନାର ଫସଲ ବି ଲହଡି ଖେଳେ । ସଂଖ୍ୟାଧିକ ବଡ଼ ଛୋଟ କଳ କାରଖାନା ସ୍ଥାପନ ହେବା ଦ୍ୱାରା ଏହି ଅଞ୍ଚଳ ଏବେ କେବଳ ରାଜ୍ୟ ନୁହେଁ ଦେଶ ଅର୍ଥନୀତି ବିକାଶର ଅନ୍ୟତମ ସ୍ଥାନ ହୋଇଛି । ବଣ ପାହାଡ଼ ଘେରା ସୁକିନ୍ଦାର ଭବିଷ୍ୟତକୁ ଦେଖିଥିଲେ ଦୂରଦ୍ରଷ୍ଟା ରାଜନେତା ଜନନାୟକ ବିଜୁ ପଟ୍ଟନାୟକ । ଶିଳ୍ପର ମୂଳଦୁଆ ପକାଇ କଳିଙ୍ଗନଗର ର ସ୍ଥାପନା କରିଥିଲେ । ବିଜୁ ପଟ୍ଟନାୟକଙ୍କ ସ୍ୱପ୍ନକୁ ସାକାର କରିବାକୁ ବରିଷ୍ଠ ରାଜନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ ବେଶ ଉଦ୍ୟମ କରିଥିଲେ । ଏହି ଧାରା ନବୀନ ପଟ୍ଟନାୟକଙ୍କ ସମୟରେ ଦ୍ରୁତ ଗତିରେ ଆଗକୁ ବଢିଥିଲା ବେଳେ ପ୍ରଫୁଲ୍ଲଙ୍କ ପରେ ତାଙ୍କ ସୁପୁତ୍ର ଇଂ ପ୍ରୀତିରଞ୍ଜନ ଘଡାଇ ମଧ୍ୟ ଆଗେଇ ନେଇଥିଲେ । ଶୃଙ୍ଖଳିତ ଓ ବ୍ୟବସ୍ଥିତ ଢଙ୍ଗରେ ଖଣି ଓ କାରଖାନା ଚାଲିଥିଲା ବେଳେ ସ୍ଥାନୀୟ ଯୁବକଙ୍କ ପାଇଁ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଥିଲା । କଳିଙ୍ଗନଗର ସହିତ ସୁକିନ୍ଦା ନିର୍ବାଚନ ମଣ୍ଡଳୀର ଆର୍ଥିକ ମାନ ଦଣ୍ଡ ବେଶ ଉଚ୍ଚକୁ ଯାଇ ପାରିଛି । ନୂଆ ବିକାଶକୁ ପରଖିଛନ୍ତି ସୁକିନ୍ଦାବାସୀ ।
ସମୟ ବଦଳିବା ସହିତ ସରକାର ବଦଳି ଯାଇଛି । ସୁକିନ୍ଦାରେ ନେତୃତ୍ୱ ବି ବଦଳି ଯାଇଛି । ସରକାର ବଦଳିବାକୁ ୧୭ ମାସ ଅତିକ୍ରାନ୍ତ ହୋଇଛି । ହେଲେ ଏହି ବଦଳା ସମୟ ମଧ୍ୟରେ ସୁନାର ସୁକିନ୍ଦାରେ ବି ବ୍ୟାପକ ପରିବର୍ତ୍ତନ ହୋଇଛି । ଦୁର୍ବଳ ନେତୃତ୍ୱ ଯୋଗୁ ସୁକିନ୍ଦାର ବ୍ୟବସ୍ଥିତ ଢାଞ୍ଚାରେ ପରିବର୍ତ୍ତନ ହୋଇ ଅବ୍ୟବସ୍ଥିତ ହୋଇ ପଡିଛି । ଖଣି ବନ୍ଦ ହେବା ନିଯୁକ୍ତିରେ ବାଧା ସୃଷ୍ଟି କରିଛି । ଖଣି ବନ୍ଦ ହେବା କଳ କାରଖାନାର ଉତ୍ପାଦନ ଉପରେ ବ୍ୟାପକ ପ୍ରଭାବ ପକାଇଛି । ଖଣି ଓ କଳ କାରଖାନାରୁ ଛଟେଇ ଆରମ୍ଭ ହୋଇଛି । ଯାହାର ପ୍ରଭାବ ବେଶି ପଡିଛି ଶ୍ରମିକଙ୍କ ଉପରେ । ଖଣି, କଳ କାରଖାନାରେ କାମ କରି ରୋଜଗାର କରି ପରିବାର ଚଳାଉଥିବା ଶ୍ରମିକ ଏବେ ପରିବାର ଚଳାଇବା ଚିନ୍ତାରେ । ଅନ୍ୟ ଖଣିକୁ କାମ କରିବାକୁ ଗଲା ବେଳେ ସେଠାରେ ନିଯୁକ୍ତି ନାହିଁ । ବାହାର ରାଜ୍ୟର ଶ୍ରମିକଙ୍କୁ ନିଯୁକ୍ତି ମିଳୁଥିଲା ବେଳେ ସୁକିନ୍ଦାର ଭୂମିପୁତ୍ର ଖଣି ଠିକାଦାରଙ୍କ ନାଲି ଆଖିର ସମ୍ମୁଖୀନ ହେଉଛି । ସ୍ଥାନୀୟ ନେତୃତ୍ୱ ନିକଟରେ ଅଭିଯୋଗ କଲେ ନିରାଶ ହେଉଛି । ଦିନେ ଭଲ ରୋଜଗାର କରି ନିଜ ପରିବାର ଚଳାଇବା ସହିତ ନିଜ ପିଲାଙ୍କୁ ଭଲ ମଣିଷ କରିବାର ସ୍ୱପ୍ନ ଦେଖୁଥିବା ବିଚରା ନିରୀହ ଲୋକମାନେ ନିରାଶ ହୋଇ ପଡିଛନ୍ତି । ପରିବାର ଚଳାଇବାକୁ ଏବେ ଦାଦନ ଖଟିବାକୁ ଅନ୍ୟ ରାଜ୍ୟକୁ ଯିବା ଆରମ୍ଭ କରିଛନ୍ତି । ଆଗକୁ ଏହି ଧାରା ଅଧିକ ହେବା ନିଶ୍ଚିତ । ପ୍ରାଚୁର୍ଯ୍ୟ ଓ ସମ୍ଭାବନାର ମାଟି ସୁନାର ସୁକିନ୍ଦାର ଭୂମିପୁତ୍ର ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିଲା ବେଳେ ସରକାର, ଜିଲ୍ଲା ପ୍ରଶାସନ, ସ୍ଥାନୀୟ ଲୋକ ପ୍ରତିନିଧି ପଦକ୍ଷେପ ନେବା ବଦଳରେ ଚୁପ ବସିଥିବା ଅଭିଯୋଗ ହେଉଛି । ଯେଉଁଠି ଜିଲ୍ଲା ଖଣିଜ ନ୍ୟାସ ପାଣ୍ଠି(ଡି ଏମ ଏଫ) ଅର୍ଥର ୭୦ ଭାଗ ଅର୍ଥ ପଡୋଶୀ ଜିଲ୍ଲାରେ ଖର୍ଚ୍ଚ ହେଉଛି, ଯେଉଁଠି ଖଣିଜ ନ୍ୟାସ ପାଣ୍ଠି ବିନିଯୋଗରୁ ୫ ପଞ୍ଚାୟତ ବାଦ ପଡି ଯାଉଛି ସେଠି ସୁନାର ସୁକିନ୍ଦାର ଶ୍ରମିକ ମାନଙ୍କ ଜୀବନ ଜୀବିକାକୁ ପଚାରେ କିଏ ବୋଲି ପ୍ରଶ୍ନ କରିଛନ୍ତି ଖଣି, କଳ କାରଖାନା ପାଇଁ ବଳିଦାନ ଦେଇଥିବା, ନିଜର ଭିଟା ମାଟି ହରାଇଥିବା ସୁନାର ସୁକିନ୍ଦାର ଭୂମିପୁତ୍ର ମାନେ ।




















