ଓଡ଼ିଶା ଲିଡ୍ସ(ବ୍ୟୁରୋ): ଶେଷରେ ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ହୋଇ ଯାଇଛି । ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଘଟଣା ଘଟିବା ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ବର ଏମ୍ସରୁ ଦିଲ୍ଲୀ ଏମ୍ସକୁ ଏୟାର ଲିଫ୍ଟ କରାଯାଇଥିଲା ।
ପୀଡ଼ିତାଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ନିଜ ଶୋକ ବାର୍ତ୍ତାରେ କହିଛନ୍ତି ସରକାରଙ୍କ ସମସ୍ତ ପ୍ରୟାସ ସତ୍ତ୍ବେ ତାଙ୍କ ମୃତ୍ୟୁ ନେଇ ଗଭୀର ଦୁଃଖିତ। ବିଶେଷଜ୍ଞ ଡାକ୍ତରଙ୍କ ଅହୋରାତ୍ର ଚେଷ୍ଟା ସତ୍ତ୍ୱେ ଜୀବନ ରକ୍ଷା କରାଯାଇ ପାରିଲାନି । ମୁଁ ଝିଅଟିର ଅମର ଆତ୍ମାର ସଦଗତି କାମନା କରୁଛି। ଅପୂରଣୀୟ କ୍ଷତିକୁ ସହିବା ପାଇଁ ତାଙ୍କ ପରିବାରକୁ ଶକ୍ତି ମିଳୁ । ସେହିପରି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମଧ୍ୟ ଶୋକ ପ୍ରକାଶ କରିଛନ୍ତି । ଅମର ଆତ୍ମାର ସଦଗତି ସହ ପୀଡ଼ିତାଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ସରକାରଙ୍କ ସମସ୍ତ ଚେଷ୍ଟା ସତ୍ତ୍ଵେ ଜୀବନ ବଞ୍ଚାଇ ପାରିନଥିବାରୁ ଦୁଃଖିତ ବୋଲି ପ୍ରଭାତୀ ପରିଡା କହିଛନ୍ତି । ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ, ପିସିସି ସଭାପତି ଭକ୍ତ ଚରଣ ଦାସ, ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ ପ୍ରମୁଖ ତାଙ୍କ ମୃତ୍ୟରେ ଶୋକ ପ୍ରକାଶ କରିଛନ୍ତି ।