ଓଡ଼ିଶା ଲିଡ୍ସ(ବ୍ୟୁରୋ): ବନ୍ଦେ ଉତ୍କଳ ଜନନୀକୁ ବିରୋଧ କରି ଓଡ଼ିଶାରେ ମିଶିବା ଆମର ଐତିହାସିକ ଭୁଲ ବୋଲି ମନ୍ତବ୍ୟ ଦେଇଥିଲେ ବିଜେପିର ବରିଷ୍ଠ ବିଧାୟକ ଜୟ ନାରାୟଣ ମିଶ୍ର । ଯାହା ସାରା ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି । ତାଙ୍କ ମନ୍ତବ୍ୟ ଵିଵାଦୀୟ ପରିସ୍ଥିତି ସୃଷ୍ଟି କରିଥିଲା ବେଳେ ବିଜେପି ଅଡୁଆରେ ପଡି ଯାଇଛି । ବିଭିନ୍ନ ସମୟରେ ବିଭିନ୍ନ ମନ୍ତବ୍ୟ ଦେଇ ଜୟ ନାରାୟଣ ଚର୍ଚ୍ଚାର ପରିଧି ମଧ୍ୟକୁ ଆସିବାର ବହୁ ନଜିର ରହିଛି । ହେଲେ ବନ୍ଦେ ଉତ୍କଳ ଜନନୀ ଗାନ ବେଳେ ସଙ୍ଗୀତକୁ ସମ୍ମାନ ନ ଦେଇ ବସି ରହିବା ଓ ରାଜ୍ୟ ସଂଗୀତରେ ଉତ୍କଳ କାହିଁକି ରହିଲା ଭଳି ମନ୍ତବ୍ୟ ଦେବା ତାଙ୍କୁ ନିନ୍ଦିତ କରିଛି । ତାଙ୍କର ଏହି ବିବାଦୀୟ ବୟାନ କିନ୍ତୁ ଶାସକ ବିଜେପିକୁ ଅଡୁଆରେ ପକାଇ ଦେଇଛି । ଦୁଇଦିନ ହେଲା କେହି ଦଳୀୟ ନେତା ଏ ନେଇ ମୁହଁ ଖୋଲି ନଥିଲା ବେଳେ ଆଜି ବିବାଦ ଅଧିକ ଘନୀଭୂତ ହେବା ପରେ ଆଇନ ମନ୍ତ୍ରୀ ଏହା ଜୟ ନାରାୟଣଙ୍କ ବ୍ୟକ୍ତି ଗତ ମତ ବୋଲି କହିଛନ୍ତି । ହେଲେ ଆଜି ଏହାକୁ ନେଇ ବିଧାନସଭାରେ ତୁମୁଳ କାଣ୍ଡ ସୃଷ୍ଟି ହୋଇଛି । ଉଭୟ ଶାସକ ଓ ଵିରୋଧି ମୁହାଁ ମୁହିଁ ହେବା ସହିତ ହାତା ହାତି ବି ହୋଇଛନ୍ତି ।ଆଗକୁ ଏହାକୁ ନେଇ ଶାସକ ଓ ବିରୋଧୀଙ୍କ ମଧ୍ୟରେ ବିବାଦ ଅଧିକ ଘନୀଭୂତ ହେବାର ଆଶଙ୍କା ଦେଖା ଦେଇଛି । ଯାହା ବେଶ କିଛିଦିନ ପର୍ଯ୍ୟନ୍ତ ବିଧାନସଭାକୁ ଅଚଳ କରିଦେବାର ସମ୍ଭାବନାକୁ ଏଡାଇ ଦେଇ ହେବ ନାହିଁ । କିଛି ଲୋକ ଜୟ ନାରାୟଣଙ୍କୁ ମନ୍ତ୍ରୀ ପଦ ମିଳି ନାହିଁ ବୋଲି ସେ ପ୍ରତିବାଦରେ ଏହା କହିଥିବା ମତ ଦେଉଥିଲା ବେଳେ ଏହି ମନ୍ତବ୍ୟ ସହିତ ମନ୍ତ୍ରୀ ପଦ ନ ମିଳିବାର କୌଣସି ପ୍ରାସଙ୍ଗିକତା ନାହିଁ ବୋଲି ବହୁ ବ୍ୟକ୍ତି ମତ ଦେଉଛନ୍ତି ।
କିଛି ବ୍ୟକ୍ତିଙ୍କ ମତ ଯଦି ଜୟ ନାରାୟଣ ମନ୍ତ୍ରୀ ପଦ ନ ପାଇ ଅସନ୍ତୁଷ୍ଟ ଅଛନ୍ତି ତେବେ ସେ ଏ ନେଇ ଦଳୀୟ ମହଲରେ ଆଲୋଚନା କରିବା ଉଚିତ ଥିଲା ବୋଲି ମତ ଦେଇଛନ୍ତି । ଅନ୍ୟ ପକ୍ଷରେ ଆଜି ଜୟ ନାରାୟଣଙ୍କ ଝିଅ ତାଙ୍କ ବାପା ବନ୍ଦେ ଉତ୍କଳ ଜନନୀ ସଂଗୀତରେ ଛିଡା ହୁଅନ୍ତି ନାହିଁ ବୋଲି କହିଛନ୍ତି । ତିନିଦିନ ଧରି ଜୟ ନାରାୟଣଙ୍କ ମନ୍ତବ୍ୟ ରାଜ୍ୟ ରାଜନୀତିକୁ ଆଛନ୍ନ କରି ରଖିଥିଲା ବେଳେ ବିଜେଡି ଓ କଂଗ୍ରେସ ମିଳିତ ଭାବେ ଏହାକୁ ବିରୋଧ କରୁଛନ୍ତି । ହେଲେ ଜୟ ନାରାୟଣଙ୍କ ମନ୍ତବ୍ୟ ବିଜେପି ପାଇଁ ଅଡୁଆ ବଢ଼ାଇଥିଲା ବେଳେ ବିଜେପି କିଭଳି ଏହି ବିବାଦରୁ ନିଜକୁ ବାହାରକୁ ଆଣୁଛି ତା ଉପରେ ସମସ୍ତଙ୍କ ନଜର ରହିଛି । ସାରା ରାଜ୍ୟରେ କିନ୍ତୁ ଜୟ ନାରାୟଣଙ୍କ ମନ୍ତବ୍ୟକୁ କେହି ଗ୍ରହଣ କରୁନାହାନ୍ତି ।