ଓଡ଼ିଶା ଲିଡ୍ସ(ଯାଜପୁର): ବରୀ ବ୍ଳକର ଜୀବନରେଖା କୁହାଯାଉଥିବା ବରୀ ମାଉଣ୍ଡ-ରାମଚନ୍ଦ୍ରପୁର ରାସ୍ତା ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇ ପଡିଛି । ଫଳରେ ଏହି ରାସ୍ତାରେ ଗମନାଗମନ ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଛି । ଏହି ରାସ୍ତାର ଏବେ ନୂତନ ଭାବେ ପ୍ରଶସ୍ଥି କରଣ କାର୍ଯ୍ୟ ଚାଲୁଛି । ନିକଟରେ ଏହି ରାସ୍ତା ଉପରେ ଚିପ୍ସ ଓ ପଥର ଗୁଣ୍ଡ ପକାଯାଇଥିଲା। ହେଲେ ଲଗାଣ ବର୍ଷାରେ ବରୀ ମାଉଣ୍ଡ ଠାରୁ ଦରଘା ଛକ ପର୍ଯ୍ୟନ୍ତ ରାସ୍ତାରେ ହଜାର ହଜାର ଖାଲ ସୃଷ୍ଟି ହୋଇଛି । ଗୋଟିଏ ଗୋଟିଏ ଜାଗାର ଖାଲ ଜଳାଶୟର ଭ୍ରମ ସୃଷ୍ଟି କରୁଛି । ଏହି ରାସ୍ତା ଦେଇ ଯାଉଥିବା ଲୋକମାନେ ଏବେ ଅରଙ୍ଗବାଦ ଦେଇ ବରୀ ଦରଘା ପର୍ଯ୍ୟନ୍ତ ରାସ୍ତାରେ ଗତାଗତ କରୁଛନ୍ତି । ଅନ୍ୟ ପକ୍ଷରେ ଏହି ରାସ୍ତା ଦେଇ ଦଶରୁ ଉର୍ଦ୍ଧ୍ଵ ବସ ସହିତ ବିଭିନ୍ନ ସମୟରେ ଆମ୍ବୁଲାସ ବିପଦପୂର୍ଣ୍ଣ ଭାବେ ଗତାଗତ କରୁଛି । ଏହି କାମ ନେଇଥିବା ଠିକା ସଂସ୍ଥା ଏହାକୁ ମରାମତି କରି ଗମନାଗମନ ଉପଯୋଗୀ କରିବା ପରିବର୍ତ୍ତେ ନିରବ ବସିବା ସମସ୍ତଙ୍କୁ ଚକିତ କରିଛି । ବିଭାଗୀୟ ଅଧିକାରୀ ମଧ୍ୟ ଏ ନେଇ ତତ୍ପରତା ପ୍ରକାଶ କରୁ ନାହାନ୍ତି । ଯାହାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି । ଏ ନେଇ ତୁରନ୍ତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି ।
