ଓଡ଼ିଶା ଲିଡ୍ସ(ବ୍ୟୁରୋ): ଓଡ଼ିଶା ଲିଡ୍ସ କିଛି ଦିନ ପୂର୍ବରୁ ଲେଖିଥିଲା “ନୂଆପଡ଼ାରେ ଚକିତ କରି ପାରେ ବିଜେପି” । ଯାହା ଆଜି ଶତ ପ୍ରମାଣିତ ହୋଇଛି । ସମସ୍ତ ଆକଳନ କୁ ଭୁଲ ପ୍ରମାଣିତ କରି ସ୍ୱର୍ଗତ ବିଧାୟକ ରାଜେନ୍ଦ୍ର ପ୍ରସାଦ ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ବିଜେଡି ଛାଡି ବିଜେପିରେ ସାମିଲ ହୋଇଛନ୍ତି । ଯାହା ସମସ୍ତଙ୍କୁ ଚକିତ କରିଛି । ପୂର୍ବରୁ ବିଜେଡିରୁ ପ୍ରାର୍ଥୀ ହେବେ ବୋଲି ଦୃଢୋକ୍ତି ବାଢୁଥିବା ଜୟ କିନ୍ତୁ ବିଜେଡିକୁ ଚକମା ଦେଇ ବିଜେପିକୁ ଆଦରି ନେଇଛନ୍ତି । ଦଳ ତାଙ୍କୁ ପ୍ରାର୍ଥୀ ଘୋଷଣା କରି ନଥିଲେ ମଧ୍ୟ ଖୁବ ଶୀଘ୍ର ତାଙ୍କ ନାମରେ ମୋହର ମାଟିବାର ସମ୍ଭାବନା ଅଧିକ ।
ଗତ କାଲିଠାରୁ ବିଜେଡି ନେତାଙ୍କ ସହିତ ସମ୍ପର୍କ ତୁଟାଇଥିବା ଜୟ ଭୁବନେଶ୍ବର ସ୍ଥିତ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ସଭାପତି ମନମୋହନ ସାମଲ, ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ, ବସନ୍ତ ପଣ୍ଡା ଓ ଅନ୍ୟ ନେତୃବୃନ୍ଦଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଥିଲେ ।
ଗତକାଲି ଠାରୁ ବିଜେଡି ନେତାଙ୍କ ସହିତ ସମ୍ପର୍କ ଛିନ୍ନ କରିଥିବା ଜୟ ବିଜେପିରେ ସାମିଲ ହେଉଥିବା ଆଜି ଚର୍ଚ୍ଚା ହୋଇଥିଲା । ଶେଷରେ ସେ ବିଜେପିରେ ସାମିଲ ହୋଇଥିଲେ । ତାଙ୍କ ମିଶ୍ରଣ ପୂର୍ବରୁ ଦଳ ସଭାପତି ମନମୋହନ ସାମଲ ଓ ସଂଗଠନ ସମ୍ପାଦକ ମାନସ ମହାନ୍ତି ବସନ୍ତ ପଣ୍ଡାଙ୍କ ସହିତ ଆଲୋଚନା କରିଥିଲେ । କାରଣ ବସନ୍ତ ତାଙ୍କ ପୁଅଙ୍କୁ ଦଳ ଟିକେଟ ଦେବାକୁ ଦାବି କରିଥିଲେ । ଏହି ଘଟଣା କିନ୍ତୁ ବିଜେଡିକୁ ନିରାଶ କରି ଦେଇଛି ।
ବିଜେଡି ଚିନ୍ତାରେ ପଡିଥିଲା ବେଳେ ଦଳର ନେତୃମଣ୍ଡଳୀ କିନ୍ତୁ ନୂଆପଡ଼ାରେ ବିଜେଡି ପ୍ରାର୍ଥୀ ବିଜୟୀ ହେବେ ବୋଲି ଦୃଢୋକ୍ତି କରିଛନ୍ତି । ଦଳ ଏବେ ନୂଆପଡା ପାଇଁ ପ୍ରାର୍ଥୀ ଖୋଜିବା ଆରମ୍ଭ କରିଛି । ଜୟ ବିଜେଡିକୁ ବାୟ ବାୟ କରି ବିଜେପିରେ ସାମିଲ ହେବା ପଛରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ମାଷ୍ଟର ଷ୍ଟ୍ରୋକ କାମ କରୁଥିବା ଚର୍ଚ୍ଚା ହେଉଛି ।




















