ଓଡ଼ିଶା ଲିଡ୍ସ(ବ୍ୟୁରୋ): ବର୍ତ୍ତମାନ ସମୟରେ ସରକାରୀ ବିଦ୍ୟାଳୟ ଗୁଡିକ ଅପେକ୍ଷା ଘରୋଇ ବିଦ୍ୟାଳୟ ଗୁଡିକରେ ନିଜ ପିଲାମାନଙ୍କୁ ପାଠ ପଢ଼ାଇବାକୁ ଅବିଭାବକ ମାନେ ଅଧିକ ଆଗ୍ରହୀ ହେଉଛନ୍ତି । ଆଉ ଯାହାର ଭରପୁର ସୁଯୋଗ ନେଉଛନ୍ତି ଘରୋଇ ବିଦ୍ୟାଳୟ ଗୁଡିକ । ସରକାର ସରକାରୀ ବିଦ୍ୟାଳୟ ଗୁଡିକର ଭିତ୍ତିଭୂମିରେ ବିକାଶ କରୁଥିଲା ବେଳେ ବିଭିନ୍ନ ସମସ୍ୟା ଦେଇ ବିଦ୍ୟାଳୟ ଗୁଡିକ ଗତି କରୁଛି । ମଧ୍ୟାହ୍ନ ଭୋଜନ ନାମରେ ପିଲାଙ୍କୁ ଆକର୍ଷିତ କରିବାର ଉଦ୍ୟମ ହେଉଥିଲା ବେଳେ ଶିକ୍ଷକ ଅଭାବ ସମସ୍ୟାର ସମାଧାନ କରିବାରେ ସରକାର ବିଫଳ ହେଉଛନ୍ତି । ସରକାରୀ ବିଦ୍ୟାଳୟ ଗୁଡିକରେ ଯେଉଁ ଶିକ୍ଷକ ଶିକ୍ଷୟତ୍ରୀ ରହିଛନ୍ତି ସେମାନେ ଉନ୍ନତ ମାନର ଶିକ୍ଷା ପ୍ରଦାନରେ ଅସମର୍ଥ ହେଉଥିବା ଅଭିଯୋଗ ମଧ୍ୟ ରହିଛି ।
ପ୍ରତିଦ୍ୱନ୍ଦିତା ମୂଳକ ଶିକ୍ଷାରେ ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀ ପଛରେ ପଡୁଛନ୍ତି । ବିଭିନ୍ନ ପ୍ରତିଯୋଗିତା ମୂଳକ ପରୀକ୍ଷାରେ ସରକାରୀ ବିଦ୍ୟାଳୟ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହେବାରେ ଅସଫଳ ହେଉଛନ୍ତି । ବିଶେଷ କରି ବିଜ୍ଞାନ, ଇଂରାଜୀ ଓ ଗଣିତରେ ସରକାରୀ ବିଦ୍ୟାଳୟ ଛାତ୍ରଛାତ୍ରୀ ପଛରେ ରହିବା ଅବିଭାବକଙ୍କ ଚିନ୍ତାର କାରଣ ହୋଇଛି । ତେଣୁ ଅବିଭାବକ ମାନେ ନିଜ ପିଲାଙ୍କ ଭବିଷ୍ୟତ କୁ ନେଇ ଚିନ୍ତା ପ୍ରକଟ କରିବା ସହିତ ବେସରକାରୀ ଘରୋଇ ବିଦ୍ୟାଳୟ ଗୁଡିକରେ ପଢ଼ାଇବାକୁ ନିଷ୍ପତ୍ତି ନେଉଛନ୍ତି । ତେଣୁ ସରକାରୀ ବିଦ୍ୟାଳୟ ଅପେକ୍ଷା ଘରୋଇ ବିଦ୍ୟାଳୟ ଗୁଡିକରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇବା ଦେଖିବାକୁ ମିଳିଛି । ବିଶେଷ କରି ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଗୁଡିକରେ ଅଧିକ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି। ଅନ୍ୟ ପକ୍ଷରେ ଏହାର ଭରପୁର ସୁଯୋଗ ନେଉଛନ୍ତି ଘରୋଇ ବିଦ୍ୟାଳୟ ଗୁଡିକର ମାଲିକ ମାନେ । ବିଭିନ୍ନ ବିଦ୍ୟାଳୟରେ ଆନୁଷଙ୍ଗିକ ବ୍ୟବସ୍ଥା ନଥିଲା ବେଳେ ପ୍ରଚାରକୁ ମାଧ୍ୟମ କରି ଅବିଭାବକଙ୍କୁ ଆକୃଷ୍ଟ କରୁଛନ୍ତି । ସର୍ବାଧିକ ବିଦ୍ୟାଳୟର ଖେଳ ପଡିଆ ମଧ୍ୟ ନାହିଁ । ଏହା ସହିତ ଶୌଚାଳୟ ସମସ୍ୟା, କ୍ଳାସ ରୁମରେ ଫ୍ୟାନ ନ ଚାଲିବା, ଗୋଟିଏ ଗୋଟିଏ ଶ୍ରେଣୀରେ ଅଧିକ ଛାତ୍ରଛାତ୍ରୀଙ୍କୁ ବସାଇ ପଢ଼ାଇବା ସହିତ ସର୍ବାଧିକ ଅନଭିଜ୍ଞ ଶିକ୍ଷକ ଶିକ୍ଷୟିତ୍ରୀ ମଧ୍ୟ ଶିକ୍ଷାଦାନ କରୁଥିବାର ଅଭିଯୋଗ ରହିଛି । ଏହା ସହିତ ବିଭିନ୍ନ ବିଦ୍ୟାଳୟରେ ବିଶୁଦ୍ଧ ପାନୀୟ ଜଳର ପର୍ଯ୍ୟାପ୍ତ ସୁବିଧା ମଧ୍ୟ ନଥିବାର ଅଭିଯୋଗ ହୋଇଛି ।
ହେଲେ ଏତେ ସବୁ ସମସ୍ୟା ଭିତରେ ବିଦ୍ୟାଳୟ ଗୁଡିକ ଛାତ୍ରଛାତ୍ରୀଙ୍କ ଠାରୁ ମନ ଇଚ୍ଛା ଫିସ ଆଦାୟ କରୁଛନ୍ତି । ଆଡ଼ମିଶନ, ରି-ଆଡ଼ମିଶନ ବାବଦରେ ମନ ଇଚ୍ଛା ହଜାର ହଜାର ଟଙ୍କା ଆଦାୟ ହେଉଥିଲା ବେଳେ ଟିଉସନ ଫିସ ବାବଦରେ ମଧ୍ୟ ମାସିକ ହଜାର ହଜାର ଟଙ୍କା ଆଦାୟ ହେଉଛି । ହେଲେ ଏହା ଉପରେ ସ୍କୁଲ ଓ ଗଣ ଶିକ୍ଷା ବିଭାଗର ଆଦୌ ନଜର ନାହିଁ । ଯାହା ଫଳରେ ଘରୋଇ ବିଦ୍ୟାଳୟ ଗୁଡିକ ଏକ ପ୍ରକାର ମନମାନି ଚଳାଇଛନ୍ତି । ଏ ନେଇ ସରକାର ଉଚ୍ଚସ୍ତରୀୟ ତଦନ୍ତ କରି ପଦକ୍ଷେପ ନେବାକୁ ଅବିଭାବକ ମହଲରେ ଦାବି ହୋଇଛି ।