ଓଡ଼ିଶା ଲିଡ୍ସ(ଯାଜପୁର): ବରିଷ୍ଠ ରାଜନେତା ତଥା ରାଜ୍ୟ ଅର୍ଥନୀତି ବିକାଶର ବିନ୍ଧାଣି ଡ଼ଃ ପ୍ରଫୁଲ୍ଲ ଚନ୍ଦ୍ର ଘଡାଇଙ୍କ ସମୟରେ ସୁକିନ୍ଦାରେ ଶିଳ୍ପର ଅୟମାରମ୍ଭ ହୋଇ ସୁକିନ୍ଦା ଶିଳ୍ପ ସମୃଦ୍ଧ ହୋଇଥିଲା । ଏହି ଧାରାକୁ ବିଗତ ଦଶ ବର୍ଷ ହେଲା ଆଗେଇ ନେଇଥିଲେ ତାଙ୍କ ସୁପୁତ୍ର ତଥା ପୂର୍ବତନ ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ ।
ସାଧାରଣ ଲୋକଙ୍କ ସହିତ ମହିଳା ମାନଙ୍କ ଆର୍ଥିକ ବିକାଶ ପାଇଁ କୃଷି ଗୁରୁତ୍ୱପୂର୍ଣ୍ଣ ବୋଲି ଅନୁଭବ କରିଥିଲେ ଇଂ ଘଡାଇ । ଶିଳ୍ପ ସମୃଦ୍ଧ ସୁକିନ୍ଦାରେ କୃଷିର ବିକାଶ ପାଇଁ ସ୍ୱପ୍ନ ଦେଖିଥିବା ଇଂ ପ୍ରୀତିରଞ୍ଜଙ୍କ ସ୍ୱପ୍ନର ବାସ୍ତବତା ଆଜି ଦେଖିବାକୁ ମିଳୁଛି । ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ ଦୁଧୁଜୋରୀ ଗ୍ରାମ ପଞ୍ଚାୟତ ଦାମୋଦରପୁରର ପିଜୁଳି ଉଦ୍ୟାନ ହେଉଛି ପ୍ରୀତିରଞ୍ଜନଙ୍କ ସଫଳ ଉଦ୍ୟମର ପ୍ରତିଛବି । ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡ଼ାଇଙ୍କ ଦୂର ଦୃଷ୍ଟି ଓ ଆନ୍ତରିକ ଉଦ୍ୟମ ପାହାଡ଼ି ଇଲାକାକୁ ସବୁଜ ମୟ କରିବା ସହିତ ବିଭିନ୍ନ ପ୍ରଜାତିର ପିଜୁଳି ଫଳାଇବାରେ ସକ୍ଷମ ହୋଇଛି । ଏହି ପିଜୁଳି ବଗିଚା ରାଜ୍ୟ ସହିତ ଦେଶର ବିଭିନ୍ନ ଅଂଶରେ ପିଜୁଳି ଆଵଶ୍ୟକତା ମେଣ୍ଟାଇବା ସହିତ ଶତାଧିକ ଲୋକଙ୍କୁ ରୋଜଗାର କ୍ଷମ କରି ଆର୍ଥିକ ସ୍ଵଛଳ କରିବାରେ ସହାୟକ ହୋଇଛି ।
ଦାମୋଦରପୁର ଠାରେ ଥିବା ଏହି ପିଜୁଳି ବଗିଚାରେ ଜବ କାର୍ଡଧାରୀ ୩ ଶହ ପଚାଶ ମହିଳାଙ୍କୁ ନିଯୁକ୍ତି ମିଳିଛି । ଏହି ବଗିଚାକୁ ଜଗିବାକୁ କୋଡିଏ ଜଣ ପୁରୁଷଙ୍କୁ ମଧ୍ୟ ନିଯୁକ୍ତି ଦିଆ ଯାଇଛି । ଉତ୍ପାଦିତ ପିଜୁଳି ରାଜ୍ୟର ପିଜୁଳି ଅଭାବ ପୁରଣ କରିବା ସହ ଅନେକ ବ୍ୟବସାୟୀଙ୍କୁ ରୋଜଗାର ଯୋଗାଇବାରେ ସହାୟକ ହୋଇଛି । ପ୍ରାୟ ଦଶଟି ପ୍ରଜାତିର ପିଜୁଳି ଚାରା ଏହି ବଗିଚାରେ ରୋପଣ କରାଯାଇଥିବା ବେଳେ ଏବେ ଏହା ଫଳିବା ଆରମ୍ଭ କରିଛି ।
ଉନ୍ନତ ମାନର ଚାଷ କଲେ ଏହା ଲାଭପ୍ରଦ ହୋଇ ପାରିବ ବୋଲି ଏହି ପିଜୁଳି ବଗିଚା ଦ୍ୱାରା ପ୍ରମାଣିତ ହୋଇଛି । ନିକଟରେ ଏହି ପିଜୁଳି ଉଦ୍ୟାନ ଦେଖିବାକୁ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଏବଂ ଉପାଧ୍ୟକ୍ଷଙ୍କ ସହ ସମସ୍ତ ଜିଲ୍ଲା ପରିଷଦ ସଦସ୍ୟ ପରିଦର୍ଶନରେ ଆସିଥିଲେ । ଉଦ୍ୟାନ ବୁଲି ଦେଖିବା ସହିତ ଇଂ ଘଡାଇଙ୍କ ଉଦ୍ୟମକୁ ଭୁୟସୀ ପ୍ରସଂଶା କରିଥିଲେ ।