ଓଡ଼ିଶା ଲିଡ୍ସ(ବ୍ୟୁରୋ): ବାଲେଶ୍ବର ଜିଲ୍ଲା ଭୋଗରାଇ ରଣକାଠ ଜଙ୍ଗଲରୁ ମିଳିଥିବା ୫ଟି ଓରାଙ୍ଗଉଟାନ୍ ଗତକାଲି ବିଳମ୍ବିତ ରାତିରେ ନନ୍ଦନକାନନ ପ୍ରାଣୀଉଦ୍ୟାନରେ ପହଞ୍ଚିଛନ୍ତି। ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସେମାନଙ୍କୁ ନନ୍ଦନକାନନ ଆଣାଯାଇଛି। ଚିଡିଆଖାନାର ନୂଆ ଅତିଥି ଭାବେ ସେମାନଙ୍କୁ ନନ୍ଦନକାନନ କର୍ତ୍ତୃପକ୍ଷ ସ୍ବାଗତ କରିଛନ୍ତି। ଏକାଥରକେ ପାଞ୍ଚ ପାଞ୍ଚଟି ବିରଳ ଓରାଙ୍ଗଉଟାନ୍ ପାଇବା ପରେ ନନ୍ଦନକାନନ କର୍ମଚାରୀମାନଙ୍କ ଭିତରେ ଖୁସିର ଲହରି ଖେଳିଯାଇଛି। ଅନ୍ୟ ପକ୍ଷରେ ଏହି ଖବର ପର୍ଯ୍ୟଟକଙ୍କ ପାଇଁ ମଧ୍ୟ ଖୁସିର ବିଷୟ ହୋଇଛି । ପୂର୍ବରୁ ବିନି ନାମରେ ଏକ ଓରାଙ୍ଗଉଟାନ ନନ୍ଦନକାନନରେ ଥିଲା ବେଳେ ୨୦୧୯ ମସିହାରେ ତାର ମୃତ୍ୟୁ ହୋଇଥିଲା । ଏବେ ସେମାନଙ୍କୁ କ୍ବାରେଣ୍ଟାଇନ୍ ସେଣ୍ଟରରେ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟରେ ରଖାଯାଇଛି। ନନ୍ଦନକାନନ କର୍ତ୍ତୁରପକ୍ଷଙ୍କ ସୂଚନା ଅନୁଯାୟୀ ସୁରକ୍ଷା କାରଣରୁ ପ୍ରାୟ ମାସାଧିକ କାଳ ସେମାନଙ୍କୁ ପ୍ରାଣୀ ଚିକିତ୍ସାକେନ୍ଦ୍ର ପରିସରରେ ଥିବା ଶିଶୁ ପ୍ରାଣୀ ଯତ୍ନକେନ୍ଦ୍ରରେ ରଖାଯିବ। ଚିକିତ୍ସକ ଓ ଜନ୍ତୁରକ୍ଷକଙ୍କ ସେବାଯତ୍ନରେ ସେମାନଙ୍କୁ ରଖାଯିବ ଏବଂ ଲାଳନପାଳନ କରାଯିବ। ଏଠିକାର ଜଳବାୟୁ ସହିତ ସେମାନେ ନିଜକୁ ଖାପ ଖୁଆଇବା ପର୍ଯ୍ୟନ୍ତ ଜନ୍ତୁରକ୍ଷକ ଓ ଚିକିତ୍ସକମାନଙ୍କ ୨୪ ଘଣ୍ଟିଆ ନଜରରେ ସେମାନେ ରହିବେ। ପରବର୍ତ୍ତୀ ସମୟରେ ସେମାନଙ୍କ ପାଇଁ ସ୍ବତନ୍ତ୍ର ଖୁଆଡ଼ ପ୍ରସ୍ତୁତ କରାଯିବ ଏବଂ ସେତେବେଳେ ହିଁ ପର୍ଯ୍ୟଟକମାନେ ସେମାନଙ୍କୁ ଦେଖିବାର ସୁଯୋଗ ପାଇବେ। ଏବେ ସେମାନଙ୍କୁ ବିଭିନ୍ନ ପ୍ରକାର ତରଳ ଖାଦ୍ୟ ସହିତ କ୍ଷୀର ଦିଆ ଯାଉଛି । ନନ୍ଦନକାନନରେ ମାଈ ଓରାଙ୍ଗଉଟାନ ‘ବିନି’ ୧୬ବର୍ଷ ଧରି ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥିଲା।
୨୦୦୩ ନଭେମ୍ବର ୨୦ ତାରିଖରେ ପୁନେସ୍ଥିତ ରାଜୀବ ଗାନ୍ଧୀ ନ୍ୟାସନାଲ ପାର୍କରୁ ବିନିକୁ ଅଣାଯାଇଥିଲା। ୨୦୧୯ ମେ ୨୯ରେ ବିନିର ମୃତ୍ୟୁ ହୋଇଥିଲା। ଏହି ୧୬ବର୍ଷ ଭିତରେ ବିନି ପାଇଁ ପୁରୁଷ ସାଥୀଟିଏ ମିଳିବା ସମ୍ଭବ ହୋଇନଥିଲା। ତେଣୁ ଦୀର୍ଘ ବର୍ଷର ନିଃସଙ୍ଗ ଜୀବନ ପରେ ଶେଷରେ ଆଖି ବୁଜିଦେଇଥିଲା ବିନି । ସେବେଠୁ ପ୍ରାୟ ୮ବର୍ଷ ହେଲା ନନ୍ଦନକାନନରେ ଏହି ବିରଳ ପ୍ରଜାତିର ବନ୍ୟପ୍ରାଣୀ ଦେଖିବାରୁ ପର୍ଯ୍ୟଟକମାନେ ବଞ୍ଚିତ ହୋଇଛନ୍ତି। ବଣମଣିଷ ଭଳି ଦେଖାଯାଉଥିବା ଏହି ବିରଳ ବନ୍ୟପ୍ରାଣୀ ଭାରତର କୌଣସି ଚିଡ଼ିଆଖାନାରେ ଦେଖିବାକୁ ମିଳୁନଥିଲା। ଏବେ କିନ୍ତୁ ନନ୍ଦନକାନନରେ ପର୍ଯ୍ୟଟକମାନେ ୫ଟି ଓରାଙ୍ଗଉଟାନ ଏକା ବେଳେ ଦେଖିବାର ସୁଯୋଗ ପାଇବେ।
ଅନ୍ୟପକ୍ଷରେ ଏହି ବିରଳ ପ୍ରାଣୀ ବାଲେଶ୍ଵର ଜଙ୍ଗଲକୁ କିଭଳି ଆସିଲେ ତାକୁ ନେଇ ଏସଟିଏଫ ତଦନ୍ତ ଆରମ୍ଭ କରିଛି । ବାଲେଶ୍ଵର ଜଙ୍ଗଲରେ ଏମାନେ ମିଳିବା ଅନେକ ଅସମାହିତ ପ୍ରଶ୍ନ ଛିଡା କରିଛି ।




















