ଓଡ଼ିଶା ଲିଡ୍ସ(ବ୍ୟୁରୋ): ଇରାନ ଆକ୍ରମଣରେ କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ ହୋଇଛି ବୋଲି ରିପୋର୍ଟ ପ୍ରକାଶ ପାଇଛି । ଯାହା ଆମେରିକାର ଚିନ୍ତା ବଢ଼ାଇ ଦେଇଛି । ଇସ୍ରାଏଲ ଓ ଆମେରିକାର ମିଳିତ ଆକ୍ରମଣର ଜବାବରେ ଉପସାଗରୀୟ ଦେଶଗୁଡ଼ିକରେ ଥିବା ଆମେରିକୀୟ ସାମରିକ ଘାଟିଗୁଡ଼ିକୁ ଇରାନ ଟାର୍ଗେଟ କରୁଛି । ଏହି ରଣନୀତିରେ ଇରାନ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛି। ଇରାନ ଆକ୍ରମଣ କରି କତାରରେ ଥିବା ଏକ ଆମେରିକୀୟ ଘାଟିରେ କୋଟି କୋଟି ଡଲାର ମୂଲ୍ୟର ସର୍ବବୃହତ ରାଡାରକୁ ଧ୍ବଂସ କରିଦେଇଥିବା ଜଣା ଯାଇଛି ।
ଏହା କେବଳ ଆମେରିକା ପାଇଁ ସାମରିକ କ୍ଷତି ନୁହେଁ ବରଂ ଏକ ବିରାଟ ଆର୍ଥିକ ବିପର୍ଯ୍ୟୟ ବୋଲି ମଧ୍ୟ କୁହାଯାଉଛି । ଇରାନୀ ଆକ୍ରମଣରେ ନଷ୍ଟ ହୋଇଥିବା ଆମେରିକୀୟ ରାଡାରର ମୂଲ୍ୟ ୧.୧ ବିଲିୟନ ଡଲାର ବୋଲି ଜଣାପଡ଼ିଛି । ନଷ୍ଟ ହୋଇଥିବା ଏହି ରାଡାରଟି ପଶ୍ଚିମ ଏସିଆରେ ଆମେରିକା ଦ୍ୱାରା ପରିଚାଳିତ ସବୁଠାରୁ ବଡ଼ ରାଡାର ଥିଲା। ବିଶ୍ୱରେ କେବଳ ଛଅଟି ଏପରି ରାଡାର ଅଛି, ଯାହା ମଧ୍ୟରୁ ଗୋଟିଏ କତାରରେ ସ୍ଥାପିତ ହୋଇଥିଲା। ଏହି ରାଡାର ଆମେରିକୀୟ ସେନା ପାଇଁ ଅତ୍ୟନ୍ତ ଜରୁରୀ ଦୂରଗାମୀ ଟ୍ରାକିଂ ବ୍ୟବସ୍ଥା ଥିଲା। ଇରାନ ଆକ୍ରମଣରେ ଏହାର କ୍ଷତି ଆମେରିକୀୟ ସେନାକୁ ଆଗାମି ଦିନରେ ବ୍ୟାପକ ସମସ୍ୟାରେ ପକାଇବ ।




















