ଓଡ଼ିଶା ଲିଡ୍ସ(ଯାଜପୁର): ସରକାରୀ ଯୋଜନାରୁ ବଞ୍ଚିତ ଗରିବ ହିତାଧିକାରୀଙ୍କୁ ଚିହ୍ନଟ କରି ସେମାନଙ୍କୁ ଖୁବ କମ ସମୟରେ ଗୃହ ପ୍ରଦାନ କରିବାକୁ ମୋହନ ସରକାର ଅନ୍ତଦ୍ୱୟ ଯୋଜନାର ଶୁଭାରମ୍ଭ କରିଛନ୍ତି। ଧର୍ମଶାଳା ମହୋତ୍ସବ ପଡ଼ିଆରେ ଧର୍ମଶାଳା ବିଧାୟକଙ୍କ ଉପସ୍ଥିତିରେ ଗତ କାଲି ଅନ୍ତଦ୍ୱୟ ଯୋଜନାର ଶୁଭାରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମରେ ହିତାଧିକାରୀ ମାନଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି। ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାକୁ ଲୋକାର୍ପଣ କରିବା ସହ ଏହି ଯୋଜନାକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ ପ୍ରୟାସ ଆରମ୍ଭ ହୋଇଛି । ଧର୍ମଶାଳା ବ୍ଲକରେ ଚୟନ କରାଯାଇଥିବା ୬୦୦ରୁ ଉର୍ଦ୍ଧ୍ବ ହିତାଧିକାରୀଙ୍କୁ ବିଧାୟକ ହିମାଂଶୁ ଶେଖର ସାହୁ ଗତକାଲି କାର୍ଯ୍ୟାଦେଶ ବଣ୍ଟନ କରିଛନ୍ତି।
ସୂଚନା ଅନୁଯାୟୀ ଧର୍ମଶାଳା ବ୍ଲକର ୪୫ ଗୋଟି ପଞ୍ଚାୟତରେ ସର୍ଭେ କରିବା ପରେ ବ୍ଲକ ପ୍ରଶାସନ ପକ୍ଷରୁ ପ୍ରତି ପଞ୍ଚାୟତରୁ ୧୫ଜଣ ଲେଖାଏଁ ଯୋଗ୍ୟ ହିତାଧୁକାରୀଙ୍କ ତାଲିକା ପ୍ରସ୍ତୁତ କରାଯାଇଥିଲା। ସେଥି ମଧ୍ୟରୁ ଦୁଇଟି ପଞ୍ଚାୟତର ୧୪ଜଣ ଲେଖାଏଁ ଯୋଗ୍ୟ ବିବେଚିତ ହୋଇ ମୋଟ ୬୭୫ ଜଣଙ୍କ ମଧ୍ୟରୁ ୬୭୩ ଜଣଙ୍କ ତାଲିକା ରାଜ୍ୟ ସରକାରଙ୍କ ଅନୁମୋଦନ ନିମନ୍ତେ ଜିଲ୍ଲା ପ୍ରଶାସନ ଜରିଆରେ ପ୍ରଦାନ କରାଯାଇଥିଲା ।
ଫେବ୍ରୁଆରୀ ୨ ତାରିଖରେ ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଏହି ନୂତନ ଆବାସ ଯୋଜନା ନେଇ ଗାଇଡ ଲାଇନ୍ ଜାରି କରାଯାଇଥିଲା। ଗ୍ରାମାଞ୍ଚଳରେ ଚାଳ ଛପର ଘରେ ବସବାସ କରୁଥିବା ଅସହାୟ ବିଧବା ମହିଳା, ଦିବ୍ୟାଙ୍ଗ, ଦୂରାରୋଗରେ ପୀଡ଼ିତ ଘରର ମୁଖିଆ ଓ ଗରିବ ବାସସ୍ଥାନ ନଥିବା ପରିବାରକୁ ଏହି ଯୋଜନାରେ ସାମିଲ କରାଯିବାକୁ ଲକ୍ଷ ରଖା ଯାଇଛି। ସେହିପରି ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟରେ ଘର ଭାଙ୍ଗି ରୁଜି ଯାଇଥିବା ବ୍ୟକ୍ତିଙ୍କୁ ମଧ୍ୟ ଏହି ଯୋଜନାରେ ସାମିଲ କରିବାକୁ ଗାଇଡ ଲାଇନ୍ରେ ଉଲ୍ଲେଖ ରହିଛି।
ହିତାଧିକାରୀଙ୍କୁ ଗୃହ ନିର୍ମାଣ ନିମନ୍ତେ ୩ ଗୋଟି ପର୍ଯ୍ୟାୟରେ ୧ଲକ୍ଷ ୨୦ହଜାର ଟଙ୍କା ପ୍ରଦାନ କରାଯିବ। ଯଦି ହିତାଧିକାରୀ କାର୍ଯ୍ୟାଦେଶ ପାଇବାର ୪ମାସ ମଧ୍ୟରେ ଗୃହ ନିର୍ମାଣ ଶେଷ କରିବେ ତାଙ୍କୁ ପ୍ରଶାସନ ପକ୍ଷରୁ ଅଧିକ ୨୦ହଜାର ଟଙ୍କା ଓ ୬ମାସରେ ଶେଷ କଲେ ଅଧିକ ୧୦ହଜାର ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବାର ନିୟମ ମଧ୍ୟ ରହିଛି। ବିଗତ ଦିନରେ ବାରମ୍ବାର ଆବେଦନ କରି ନିରାଶ ହୋଇଥିବା ବ୍ୟକ୍ତି ଏହି ଯୋଜନାରେ ସାମିଲ ହୋଇଥିବାରୁ ଧର୍ମଶାଳା ବିଧାୟକଙ୍କ ଏଭଳି କାର୍ଯ୍ୟ ଧାରାକୁ ସାଧାରଣରେ ପ୍ରଶଂସା କରାଯାଇଛି।