ଓଡ଼ିଶା ଲିଡ୍ସ(ଯାଜପୁର): ସରକାରୀ ଦଳ ହେଉ ଅଥବା ଏକ ଦାୟିତ୍ୱ ସଂପନ୍ନ ବିରୋଧି ଦଳ, ଉଭୟ ପାଇଁ ସୁଦୃଢ଼ ସଂଗଠନର ଆଵଶ୍ୟକତା ରହିଛି ବୋଲି କହିଛନ୍ତି ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ । ଗତ ନିର୍ବାଚନରେ ପରାଜିତ ହୋଇଛନ୍ତି ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ । ହେଲେ ପରାଜୟକୁ ହେୟ ଜ୍ଞାନ କରି ସୁକିନ୍ଦାବାସୀଙ୍କ ସହିତ ସମ୍ପର୍କର ସେତୁବନ୍ଧ ବାନ୍ଧି ଚାଲିଛନ୍ତି । ବିଗତ ଦଶ ମାସ ହେଲା ଇଂ ଘଡାଇ ଏହି କାର୍ଯ୍ୟଧାରା ଜାରି ରଖିଥିଲା ବେଳେ ଲୋକଙ୍କ ଆସ୍ଥା ଭାଜନ ହେଉଛନ୍ତି । ଦେଉଳକଣ ପଞ୍ଚାୟତରେ ଆୟୋଜିତ ଦଳୀୟ ସାଙ୍ଗଠନିକ ବୈଠକରେ ଏହା ଦେଖିବାକୁ ମିଳିଛି । ବୈଠକରେ ଶତାଧିକ କର୍ମୀ ଯୋଗଦାନ କରି ଦଳ ଓ ଇଂ ଘଡାଇଙ୍କ ହାତ ମୁଠାକୁ ଟାଣ କରିବାକୁ ପ୍ରତିଶୃତି ଦେଇଛନ୍ତି । ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡ଼ାଇଙ୍କ ନେତୃତ୍ୱରେ ବିଜୁ ପ୍ରେମୀମାନେ, ବିଜୁ ଜନତା ଦଳ ସଂଗଠନକୁ ମଜଭୁତ କରିବା ପାଇଁ ଆଜି ଏକତ୍ରିତ ହେବା ସୁକିନ୍ଦା ରାଜନୀତିରେ ଚର୍ଚ୍ଚାର ବିଷୟ ହୋଇଛି । ଏହି ଅବସରରେ ଇଂ ଘଡାଇ କହିଛନ୍ତି ଶାସକ ଦଳ ହେଉ ଅବା ଵିରୋଧି ଦଳ ସବୁଠାରେ ସଂଗଠନର ଆଵଶ୍ୟକତା ଅଛି । ହେଲେ ଶାସକ ଦଳର ଦୋଷ ତ୍ରୁଟିକୁ ସୁଧାରିବା, ଅନ୍ୟାୟର ପ୍ରତିରୋଧ କରିବା ପାଇଁ ଏକ ଦାୟିତ୍ୱ ସମ୍ପନ୍ନ ଵିରୋଧି ଦଳ ଭାବେ ଆମକୁ ସଙ୍ଗଠିତ ହେବାକୁ ପଡ଼ିବ । ଆଜି ଦେଉଳକଣ ପଞ୍ଚାୟତରେ ଏହାର ଉଦାହରଣ ଦେଖିବାକୁ ମିଳିଛି । ଆଗକୁ ଅନ୍ୟାୟ ଅତ୍ୟାଚାର ବିରୁଦ୍ଧରେ ନିର୍ଣ୍ଣାୟକ ଲଢେଇ ହେବ ବୋଲି ସେ କହିଛନ୍ତି।
