ଓଡ଼ିଶା ଲିଡ୍ସ(ବ୍ୟୁରୋ): ସୁକିନ୍ଦାର ଉଚ୍ଚମାନର କ୍ରୋମାଇଟ ଉପରେ ଖଣି ମାଫିଆଙ୍କ ଲୋଲୁପ ଦୃଷ୍ଟି ପଡିଛି । ବନ୍ଦ ଥିବା ଭୀମଟାଙ୍ଗର ନିକଟ ଏକ ଖଣିରୁ ୫୦ ରୁ ଉର୍ଦ୍ଧ୍ବ ଟ୍ରିପ ଉଚ୍ଚମାନର କ୍ରୋମାଇଟ ଲୁଟେରା ଲୁଟ କଲା ପରେ ଲୁଟରେ ବ୍ୟବହୃତ ଗୋଟିଏ ଜେସିବି ଓ ଗୋଟିଏ ହାଇୱା ଜବତ ହୋଇଛି । ଏହି ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଥିଲା ବେଳେ ପ୍ରଶାସନର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଆଜି ଏ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖି ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ । କ୍ରୋମାଇଟ ମାଫିଆ ମାନେ ବେଶ କିଛି ବର୍ଷ ନିରବ ବସିଥିଲା ବେଳେ ଏବେ ବେଶ ସକ୍ରିୟ ହୋଇ ପଡିଛନ୍ତି । ଫଳରେ ମେସିନ ଲଗାଇ ଟ୍ରିପ ଟ୍ରିପ କ୍ରୋମାଇଟ ଲୁଟ କରିବା ଆରମ୍ଭ କରିଛନ୍ତି । ହେଲେ ମାଫିଆ ବେଧଡ଼କ ଭାବେ କ୍ରୋମାଇଟ ଲୁଟ କରୁଥିଲା ବେଳେ ପ୍ରଶାସନର ନଜରକୁ ଏହା କିଭଳି ଆସିଲା ନାହିଁ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ଜଙ୍ଗଲ ବିଭାଗ ସହିତ ପୋଲିସ ଓ ଖଣି ବିଭାଗ ଜାଣି ଶୁଣି ମାଫିଆଙ୍କୁ ସହଯୋଗର ହାତ ବଢ଼ାଇ ନାହାନ୍ତିତ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଲୁଟ ଖଣି ଜଙ୍ଗଲ ବିଭାଗ କାର୍ଯ୍ୟାଳୟ ଠାରୁ ଦୁଇ ଶହ ମିଟର ଦୂରରେ ଥିଲା ବେଳେ ବିଭାଗ ନଜରକୁ ଏହା କିଭଳି ଆସିଲା ନାହିଁ ତାହା ସମସ୍ତଙ୍କୁ ଚକିତ କରିଛି । ଅନ୍ୟ ପକ୍ଷରେ ଚଢ଼ାଉ ସମୟରେ ଲୁଟେରା ମାନେ ଫେରାର ହୋଇଯିବା ମଧ୍ୟ ଚର୍ଚ୍ଚାର ବିଷୟ ହୋଇଛି । ଚଢ଼ାଉ ନେଇ ଲୁଟେରାଙ୍କୁ କିଏ ଖବର ଦେଲା ତାହା ମଧ୍ୟ ସନ୍ଦେହର ବଳୟ ସୃଷ୍ଟି କରିଛି । ଆକଳନ ଅନୁଯାୟୀ ଏହି ଠାରୁ ୫୦ ଟ୍ରିପରୁ ଅଧିକ କ୍ରୋମାଇଟ ଲୁଟ ହୋଇ ସାରିଛି । ଏହି ଉଚ୍ଚମାନର କ୍ରୋମାଇଟ ଟ୍ରିପର ମୂଲ୍ୟ ୬ ଲକ୍ଷ ଟଙ୍କାରୁ ଅଧିକ ହୋଇଥିଲା ବେଳେ ୫୦ ଟ୍ରିପର ମୂଲ୍ୟ ୩ କୋଟି ଟଙ୍କାରୁ ଅଧିକ ହେବ । କୋଟି କୋଟି ଟଙ୍କାର କ୍ରୋମାଇଟ ଲୁଟ ହେଉଥିଲା ବେଳେ ଏହି ଟଙ୍କା କେବଳ ମାଫିଆଙ୍କ ପକେଟରେ ପସୁଛି ନା ଭାଗ ବଣ୍ଟା ହେଉଛି ତାହା ବିଶେଷ ଗୁରୁତ୍ୱପୂର୍ଣ୍ଣ । ଏହି ଲୁଟ ପଛରେ କେଉଁ ଅଦୃଶ୍ୟ ଶକ୍ତିର ହାତ ନାହିଁ ତ, ଯିଏ ମାଫିଆ ମାନଙ୍କ ସୁରକ୍ଷା କବଚ ସାଜି ମାଫିଆ ରାଜକୁ ଅଧିକ ପ୍ରୋତ୍ସାହିତ କରୁଛି । ଏହି ଭଳି ଅନେକ ପ୍ରଶ୍ନ ସାଧାରଣରେ ଆଲୋଚିତ ହେଉଥିଲା ବ୍ୟବହୃତ ଜେସିବି ଓ ହାଇୱାର ମାଲିକ କିଏ, ଲୁଟ ହୋଇଥିବା କ୍ରୋମାଇଟ କାହାକୁ ବିକ୍ରି କରାଯାଇଛି ସେ ନେଇ ତଦନ୍ତ ଜରୁରୀ ହୋଇଛି । ଅନ୍ୟ ପକ୍ଷରେ ଏ ନେଇ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖି ଘଟଣାର ତଦନ୍ତ କରିବାକୁ ଦାବି କରିଛନ୍ତି ପୂର୍ବତନ ସୁକିନ୍ଦା ବିଧାୟକ ତଥା ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ । ସେ କହିଛନ୍ତି ପ୍ରଶାସନ ନିରବ ବସିବାରୁ ଗତ ଅଗଷ୍ଟ ମାସରୁ ଆରମ୍ଭ ହୋଇଥିବା ଏହି ଲୁଟ ଦିନକୁ ଦିନ ବଢି ଚାଲିଛି । ଯାହା ଫଳରେ ରାଜ୍ୟ ସରକାର ବିପୁଳ ପରିମାଣର ରାଜସ୍ୱ ହରାଉଛନ୍ତି । ମାଫିଆ ଖଣି ଲୁଟ କରି କୋଟି କୋଟି ଟଙ୍କା ଲୁଟି ନେଉଛନ୍ତି । ମୁଖ୍ୟମନ୍ତ୍ରୀ ରାଜ୍ୟର ସ୍ଵାର୍ଥକୁ ଗୁରୁତ୍ୱ ଦେଇ ଏ ନେଇ ଉଚ୍ଚସ୍ତରୀୟ ତଦନ୍ତ କରିବେ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି ।
