ଓଡ଼ିଶା ଲିଡ୍ସ(ବ୍ୟୁରୋ): ଆଜିଠାରୁ ବହୁ ପ୍ରତୀକ୍ଷିତ ଭାରତ-ଇଂଲଣ୍ଡ ୫ ଟେଷ୍ଟ ବିଶିଷ୍ଟ ସିରିଜ ଆରମ୍ଭ ହେଉଛି । ଭାରତୀୟ ଦଳ ୨୦୨୫-୨୬ ବିଶ୍ୱ ଟେଷ୍ଟ ଚମ୍ପିୟାନସିପରେ ତାର ପ୍ରଥମ ଶୃଂଖଳା ଖେଳିବ । ପ୍ରଥମ ମ୍ୟାଚ ଆଜିଠାରୁ ହେଡିଂଲେ ରେ ଖେଳାଯିବ । ପ୍ରାୟ ଏକ ଦଶନ୍ଧି ପରେ ତିନି କ୍ରିକେଟ ଲିଜେଣ୍ଡ ରୋହିତ ଶର୍ମା, ବିରାଟ କୋହଲି ଓ ରବିଚନ୍ଦ୍ରନ ଅଶ୍ଵିନଙ୍କ ବିନା ଭାରତ ଏହି ସିରିଜ ଖେଳିବାକୁ ଯାଉଛି । ଭାରତର ନୂଆ ଅଧିନାୟକ ଶୁଭମନ ଗିଲଙ୍କ ନେତୃତ୍ୱରେ ଦଳ ଖେଳି ନୂତନ ଯୁଗର ଆରମ୍ଭ କରିବ । ଇଂଲଣ୍ଡରେ ଭାରତର ରେକର୍ଡ ଭଲ ନଥିଲା ବେଳେ ୨୦୦୭ରେ ଭାରତ ସେଠାରେ ସିରିଜ ବିଜୟୀ ହୋଇଥିଲା । ୧୮ ବର୍ଷ ପରେ ଏହାକୁ ଦୋହରାଇବା ଲକ୍ଷ ରଖିଛି ଭାରତ । ଉଭୟ ଦଳ ସିରିଜ ପାଇଁ ରଣନୀତି ପ୍ରସ୍ତୁତ କରୁଥିଲା ବେଳେ ପ୍ରଥମ ଟେଷ୍ଟ ଉପରେ ଉଭୟ ଦଳ ନଜର ଦେଇ ପ୍ରାଧାନ୍ୟ ବିସ୍ତାର କରିବାକୁ ଉଦ୍ୟମ କରିବେ ।
ଭାରତର ବୋଲିଂ ବିଭାଗ ଦୃଢ଼ ଥିଲା ବେଳେ ଇଂଲଣ୍ଡର ବ୍ୟାଟିଂ ବିଭାଗ ଦୃଢ଼ ରହିଛି । ଇଂଲଣ୍ଡ ନିକଟରେ ଜୋ ରୁଟଙ୍କ ଭଳି ଅଭିଜ୍ଞତା ସମ୍ପନ୍ନ ବ୍ୟାଟ୍ସମ୍ୟାନ ଥିଲା ବେଳେ ଭାରତ ନିକଟରେ ବୁମରାଙ୍କ ପରି ବିଶ୍ୱର ଏକ ନମ୍ବର ବୋଲର ରହିଛନ୍ତି । ଜୋ ରୁଟ ଇଂଲଣ୍ଡ ବ୍ୟାଟିଂ ନେତୃତ୍ୱ ନେବାକୁ ଯାଉଥିଲା ବେଳେ ବୁମରା ଭାରତୀୟ ବୋଲିଂ ବିଭାଗର ନେତୃତ୍ୱ ନେବେ ।