ଓଡ଼ିଶା ଲିଡ୍ସ(ବ୍ୟୁରୋ):ମଣ୍ଡି ଓ ଟୋକନ ଅବ୍ୟବସ୍ଥା, ଏଫଏକ୍ୟୁ ନାଁରେ ଅଯଥା କଟ୍ନୀ ଛଟ୍ନୀ, ପିୟୁସିସି ନାଁରେ ସାଧାରଣ ଲୋକଙ୍କୁ ଶୋଷଣ ଏବଂ ସ୍ମାର୍ଟ ମିଟର ନାଁରେ ଟାଟା ପାୱାରର ଦମନ ଅଭିଯୋଗ ଆଣି ଆସନ୍ତା କାଲି ବନ୍ଦ ଡାକରା ଦେଇଛି ନବ ନିର୍ମାଣ କୃଷକ ସଙ୍ଗଠନ। ନବ ନିର୍ମାଣ କୃଷକ ସଂଗଠନର ଏହି ବନ୍ଦ ଡାକରାକୁ କଂଗ୍ରେସ ସମର୍ଥନ ଦେଇଥିଲା ବେଳେ ବିଜେଡି କହିଛି ଗୁଡ଼ଲକ । ଏହି ଆଠ ଘଣ୍ଟିଆ ଓଡ଼ିଶା ବନ୍ଦ ସକାଳ ୬ଟାରୁ ଆରମ୍ଭ ହୋଇ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଚାଲିବ ।
ବନ୍ଦ ସମୟରେ ଅଖଚକ ବନ୍ଦ ରହିବ ବୋଲି ସଂଗଠନ ପକ୍ଷରୁ କୁହାଯାଇଥିବା ବେଳେ ରେଳ ସେବାକୁ ଏଥିରୁ ବାଦ୍ ଦିଆଯାଇଛି। ସେହିପରି ଚିକିତ୍ସାକୟ ଓ ଅନ୍ୟାନ୍ୟ ଜରୁରୀକାଳୀନ ସେବାକୁ ବନ୍ଦରୁ ବାଦ୍ କରିଛି କୃଷକ ସଂଗଠନ।
ନବ ନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର କହିଛନ୍ତି, ମଣ୍ଡିରେ ଚାଷୀଙ୍କର ହଜାର ହଜାର କ୍ୱିଣ୍ଟାଲ ଧାନ ପଡ଼ି ରହିଛି। ମଣ୍ଡି ଚାଲୁ ନାହିଁ କି ଚାଷୀଙ୍କୁ ଟୋକନ ମିଳୁ ନାହିଁ। ଯଦି ଟୋକନ ମିଳୁଛି, ତା’ହେଲେ ଅଧା ମିଳୁଛି ଅଧା ମିଳୁନି। ୪୦ କ୍ୱିଣ୍ଟାଲ ଧାନ ବଦଳରେ ୧୦ କ୍ୱିଣ୍ଟାଲ ଧାନ ପାଇଁ ଟୋକନ ମିଳୁଛି। ଏଫଏକ୍ୟୁ ନାଁରେ ହାରାହାରି ବ୍ୟାପକ କଟନୀ ଛଟନୀ ଚଲେଇଛନ୍ତି।
ପ୍ରଦ୍ୟୁଷଣ ନାଁରେ ସରକାର କମ୍ପାନୀ ମାନଙ୍କ ଉପରେ ଥିବା ୪୨ ହଜାର କୋଟି ଟଙ୍କା ଆଦାୟ କରି ପାରୁ ନାହାନ୍ତି, କିନ୍ତୁ ସାଧାରଣ ଲୋକଙ୍କଠାରୁ କିଭଳି ୧୦ ହଜାର/୫୦ ହଜାର ଆଦାୟ କରାଯିବ, ସେ ନେଇ ଯୋଜନା କରି ଲୋକଙ୍କୁ ହଇରାଣ କରୁଛନ୍ତି । ସ୍ମାର୍ଟ ମିଟର ନାଁରେ ଟାଟା ପାୱାର ଯେଉଁ ଦମନ ଚଲାଇଛି, ତାହା ବନ୍ଦ କରିବାକୁ ଆମେ ଦାବି କରୁଛୁ ବୋଲି କହିଛନ୍ତି ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ।




















