ଓଡ଼ିଶା ଲିଡ୍ସ(ଯାଜପୁର ସଦର): ଗତ ୩ ତାରିଖ ରାତିରେ ଯାଜପୁର ସଦର ଥାନା ଅନ୍ତର୍ଗତ ଶିମିଳିଆ ପଞ୍ଚାୟତ ବୁଲାକିପୁର ଗ୍ରାମରେ ଭାଗବତ ଟୁଙ୍ଗି ନିର୍ମାଣକୁ କେନ୍ଦ୍ରକରି ଘଟିଥିବା ବୋମା ମାଡ଼ ଘଟଣାରେ ସମ୍ପୃକ୍ତ ଥିବା ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଯାଜପୁର ସଦର ପୋଲିସ । ଏହି ଗଣ୍ଡଗୋଳରେ ଉଭୟ ପକ୍ଷରୁ ପୃଥକ୍ ପୃଥକ୍ ଭାବେ ୨ ଟି ଲିଖିତ ଅଭିଯୋଗ ପରେ ସଦର ପୋଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ବେଳେ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳ ଅନୁଧ୍ୟାନ କରିଥିବା ଜଣାପଡିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ସେହି ଗ୍ରାମର ଗଜେନ୍ଦ୍ର ପ୍ରଧାନ (୩୦), ନରେନ୍ଦ୍ର ପ୍ରଧାନ(୩୩), ବିକାଶ ନାରାୟଣ ଘଡେଇ(୩୨), ଜିତେନ୍ଦ୍ର କୁମାର କାଣ୍ଡି (୩୬)। ଏହି ଗଣ୍ଡଗୋଳରେ ସମ୍ପୃକ୍ତ ୫୧ ଜଣ ସମ୍ପୃକ୍ତ ଥିଲା ବେଳେ ସେମାନଙ୍କ ମଧ୍ୟରୁ ୪ ଜଣ ଗିରଫ ହୋଇଥିବା ସଦର ପୋଲିସ ସୂଚନା ଦେଇଛି । ଗିରଫ ଭୟରେ ଏହି ଗ୍ରାମ ଏବେ ପୁରୁଷ ଶୂନ୍ୟ ହୋଇଥିବାବେଳେ ଘଟଣା ସ୍ଥଳରେ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଅପରପକ୍ଷେ ଗଣ୍ଡଗୋଳରେ ସମ୍ପୃକ୍ତ ବ୍ୟକ୍ତି ମାନଙ୍କୁ ଗିରଫ କରିବା ପାଇଁ ସଦର ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ ଜାରୀ ରହିଛି।




















