ଓଡ଼ିଶା ଲିଡ୍ସ(ଗଞ୍ଜାମ): ଗଞ୍ଜାମ ଜିଲ୍ଲାର ଆସିକା ବ୍ଲକ ଅନ୍ତର୍ଗତ ମାମୁଁଢିଆ ଗ୍ରାମରେ ଦୀର୍ଘ ଦିନ ଧରି ଚାଲିଥିବା ବେଆଇନ ଉଚ୍ଚ ସୁଧ କାରବାରର ପର୍ଦ୍ଦାଫାଶ କରିଛି ଆସିକା ପୋଲିସ। ଗ୍ରାମର ଲକ୍ଷ୍ମଣ ପାଣି ନାମକ ବ୍ୟକ୍ତି ବିଭିନ୍ନ ଲୋକଙ୍କୁ ଆର୍ଥିକ ସହାୟତା ଦେବା ଆଳରେ ସେମାନଙ୍କ ଠାରୁ ମୋଟରସାଇକେଲ, ମୋବାଇଲ ଫୋନ, ଜମିବାଡ଼ି ପଟ୍ଟା ଓ ଅନ୍ୟାନ୍ୟ ଦଲିଲ ବନ୍ଧକ ରଖି ହଜାର ହଜାର ଟଙ୍କା ଉଚ୍ଚ ସୁଧରେ ଋଣ ଦେଉଥିବା ଅଭିଯୋଗ ହୋଇଥିଲା ।
ଗଞ୍ଜାମ ଏସପିଙ୍କ ନିର୍ଦ୍ଦେଶକ୍ରମେ ଆସିକା ପୋଲିସ ଚଢ଼ାଉ କରି ଅଭିଯୁକ୍ତ ଲକ୍ଷ୍ମଣ ପାଣିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଘଟଣା ସମ୍ପର୍କରେ ଆସିକା ଥାନାରେ ଏକ ସାମ୍ବାଦିକ ସମ୍ମିଳନୀରେ ପୋଲିସ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି।
ପୋଲିସ ଚଢ଼ାଉ ସମୟରେ ଅଭିଯୁକ୍ତଙ୍କ ନିକଟରୁ ବହୁ ପରିମାଣର ନଗଦ ଟଙ୍କା, ମୋବାଇଲ ଫୋନ, ଜମିବାଡ଼ି ସମ୍ବନ୍ଧୀୟ ଦଲିଲ, ପଟ୍ଟା ସମେତ ବନ୍ଧକ ରଖାଯାଇଥିବା ୨୦ରୁ ଅଧିକ ମୋଟରସାଇକେଲ ମଧ୍ୟ ଜବତ କରାଯାଇଛି।
ଅଭିଯୁକ୍ତ ଲକ୍ଷ୍ମଣ ପାଣିଙ୍କ ନିକଟରେ ସୁଧ କାରବାର କରିବା ପାଇଁ କୌଣସି ସରକାରୀ ଅନୁମତି କିମ୍ବା ବୈଧ ଲାଇସେନ୍ସ ନଥିଲା। ତଥାପି ସେ ଦୀର୍ଘ ଦିନ ଧରି ବେଆଇନ ଭାବେ ଏହି କାରବାର କରି ଅନେକ ଲୋକଙ୍କୁ ଉଚ୍ଚ ସୁଧରେ ଋଣ ଦେଉଥିବା ଏବଂ ସୁଧ ଆଦାୟ କରୁଥିବା ଅଭିଯୋଗ ହୋଇଥିଲା । ଏହି କାରବାରରେ ଆଉ କେଉଁ ମାନେ ସମ୍ପୃକ୍ତ ଅଛନ୍ତି ତାର ତଦନ୍ତ ଚାଲିଥିବା ପୋଲିସ ସୂଚନା ଦେଇଛି ।




















