ଓଡ଼ିଶା ଲିଡ୍ସ(ଯାଜପୁର): ଯାଜପୁର ଜିଲ୍ଲାରେ ଝାଡା ବାନ୍ତି ରୋଗ ଆତଙ୍କ ଖେଳାଇ ଦେଇଛି । ଏହି ରୋଗରେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢି ବଢି ଚାଲିଛି । ସୁକିନ୍ଦା ବ୍ଲକରେ ମଧ୍ୟ ଏହି ରୋଗ ବ୍ୟାପିଛି । ସୁକିନ୍ଦା ଖଣି ଅଞ୍ଚଳରେ ଥିବା ୫ ପଞ୍ଚାୟତର କାଳିଆପାଣି, କଂସ, ଚିଙ୍ଗୁଡିପାଳ, ରାଁସୋଳ, କାଙ୍କଡପାଳ ପଞ୍ଚାୟତରେ ପ୍ରତିଦିନ ବିଭିନ୍ନ କମ୍ପାନୀ ମାନଙ୍କ ଦ୍ବାରା କ୍ରୋମାଇଟ ପରିବହନ ପାଇଁ ହଜାର ହଜାର ସଂଖ୍ୟାରେ ଟ୍ରକ ଚାଳକ ଓ ହେଲ୍ପର ଏକତ୍ରିତ ହେଉଛନ୍ତି । ବିପୁଳ ସଂଖ୍ୟାରେ ଟ୍ରକ ଆସୁଥିଲା ବେଳେ ଓଏମସି, ଟାଟା, ଜିନ୍ଦଲ, ବାଲେଶ୍ବର ଆଲଏଜ, ଇମ୍ଫା, ବେଦାନ୍ତ ଓସ୍ତପାଳ ଠାରେ ଡ୍ରାଇଭର ଓ ହେଲପର ମାନଙ୍କ ପାଇଁ କୌଣସି ଶୌଚାଳୟ ବ୍ୟବସ୍ଥା ନାହିଁ I ତେଣୁ ପ୍ରତ୍ୟେକ ଦିନ ଡ୍ରାଇଭର ଓ ହେଲ୍ପର ଶୌଚ ପାଇଁ ସଳ୍ପ ପାଣି ବୋହି ଯାଉଥୁବା ଡମଶାଳ ନାଳ ଉପରେ ନିର୍ଭରଶୀଳ ।
ଏହା ଦ୍ୱାରା ଖଣି ଅଞ୍ଚଳବାସୀଙ୍କ ଜୀବନ ରେଖା କୁହା ଯାଉଥିବା ଡମଶାଳ ନାଳ ପାଣି ଦୂଷିତ ହେଉଅଛି । ଯାହା ଖଣି ଅଞ୍ଚଳରେ ଡାଇରିଆ ଓ ହଇଜା ବ୍ୟାପିବାର ପ୍ରମୁଖ କାରଣ ହୋଇଛି । ଖଣି ଅଞ୍ଚଳବାସୀ ବହୁଳ ସଂଖ୍ୟାରେ ଏହି ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ମୁଖରେ ପଡୁଛନ୍ତି । ଏସବୁକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗାମୀ ୨ ଦିନ ମଧ୍ୟରେ ବିଭିନ୍ନ ଖଣିରୁ କ୍ରୋମାଇଟ ପରିବହନ ବନ୍ଦ କରିବାକୁ ଦାବି କରିଛନ୍ତି ଜିଲ୍ଲା ପରିଷଦ ସଭ୍ୟା ଜେମା ଚାଖି । ଏହା କରାନଗଲେ ଆଗାମି ଦିନରେ ଖଣି ପ୍ରଭାବିତ ଅଞ୍ଚଳର ନିର୍ବାଚିତ ଜନ ପ୍ରତିନିଧି ମାନେ ଆନ୍ଦୋଳନକୁ ଓହ୍ଲାଇ କ୍ରୋମାଇଟ ପରିବହନ ବନ୍ଦ କରିବାକୁ ବାଧ୍ୟ ହେବେ ବଲି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଶ୍ରୀମତୀ ଚାଖି ।