ଓଡ଼ିଶା ଲିଡ୍ସ(ବ୍ୟୁରୋ):ପୂର୍ବତନ ଧର୍ମଶାଳା ବିଧାୟକ ତଥା ବରିଷ୍ଠ ବିଜେଡି ନେତା ପ୍ରଣବ ବଳବନ୍ତରାୟଙ୍କ ବାସଭବନ ଉପରେ ହୋଇଥିବା ହିଂସାତ୍ମକ ଆକ୍ରମଣକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି । ଏହାକୁ ନେଇ ମୁହଁ ଖୋଲିଛନ୍ତି ଵିରୋଧି ଦଳ ନେତା ତଥା ବିଜୁ ଜନତା ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ । ସେ ଏହି ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ପୋଷ୍ଟରେ ନବୀନ ପଟ୍ଟନାୟକ କହିଛନ୍ତି ଯେ, ଦୁର୍ବୃତମାନେ ବଳବନ୍ତରାୟଙ୍କ ଘରେ ବଳପୂର୍ବକ ପ୍ରବେଶ କରି ଭଙ୍ଗାରୁଜା କରିଥିଲେ ଏବଂ ତାଙ୍କ ସମର୍ଥକଙ୍କ ଉପରେ ଆକ୍ରମଣ କରିଥିଲେ। ଏପରି ଏକ ଘଟଣା ସ୍ପଷ୍ଟ ଦିବାଲୋକରେ ଘଟିଥିବାରୁ ସେ ଚିନ୍ତା ପ୍ରକଟ କରିଛନ୍ତି। ଏହା ସହିତ ପୂର୍ବତନ ମୁଖ୍ୟମନ୍ତ୍ରୀ ପୁଲିସ ପ୍ରଶାସନ ଏବଂ ରାଜ୍ୟ ସରକାରଙ୍କ ନୀରବତା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି ଘଟଣା ପରେ ମଧ୍ୟ ଅଭିଯୁକ୍ତଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ। ଏହି ନିଷ୍କ୍ରିୟତା ଓଡ଼ିଶାବାସୀଙ୍କୁ ମର୍ମାହତ କରିଛି ଏବଂ ଆଇନ ଶୃଙ୍ଖଳା ସ୍ଥିତି ଉପରେ ସନ୍ଦେହ ସୃଷ୍ଟି କରିଛି।
ନବୀନ ବିଜେପି ନେତୃତ୍ୱାଧୀନ ରାଜ୍ୟ ସରକାରଙ୍କୁ ମଧ୍ୟ କଡ଼ା ସମାଲୋଚନା କରି କହିଛନ୍ତି ଯେ, ରାଜ୍ୟରେ ଆଇନ ବ୍ୟବସ୍ଥାକୁ କେହି ମାନୁ ନାହାନ୍ତି। ସରକାର ହିଂସା ସଂସ୍କୃତିକୁ ପ୍ରୋତ୍ସାହିତ କରୁଛନ୍ତି। ଓଡ଼ିଶାର ଶାନ୍ତିପ୍ରିୟ ଲୋକେ ଏପରି ଅବ୍ୟବସ୍ଥା ଏବଂ ଅପରାଧିକ କାର୍ଯ୍ୟକଳାପକୁ କେବେ ଗ୍ରହଣ କରିବେ ନାହିଁ।
ସରକାରଙ୍କ ତୁରନ୍ତ ହସ୍ତକ୍ଷେପ ଆହ୍ୱାନ କରି ନବୀନ ପଟ୍ଟନାୟକ ନ୍ୟାୟ ସୁନିଶ୍ଚିତ କରିବା ଏବଂ ଶାସନ ପ୍ରତି ଜନସାଧାରଣଙ୍କ ଆସ୍ଥା ଫେରାଇ ଆଣିବା ସହ ଦାୟୀ ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ଦାବି କରିଛନ୍ତି।




















