ଓଡ଼ିଶା ଲିଡ୍ସ(ଯାଜପୁର): ଏକଦା ବିଜେଡିର ଗଡ଼ ଥିଲା ଯାଜପୁର ଜିଲ୍ଲା । ଗତ ନିର୍ବାଚନରେ ଏହି ଗଡ଼ ଭାଙ୍ଗି ସାରିଛି । ଏହି ଗଡ଼ର ଅଧାରୁ ଅଧିକ ଅଂଶକୁ ବିଜେପି ଦଖଲ କରିଛି । ସରକାର ବଦଳିବା ପରେ ରାଜ୍ୟର ଅନ୍ୟତମ ବିକଶିତ ଜିଲ୍ଲା ଯାଜପୁର ବିକାଶ ବେଶ ପଛକୁ ଚାଲି ଯାଇଛି ।ଏହାକୁ ଯେ କେହି ସ୍ୱୀକାର କରିବେ । ଦିନେ ଯେଉଁ ଜିଲ୍ଲାରେ ବିକାଶ ଶିଖର ଛୁଇଁ ଥିଲା ଆଜି ସେଇ ଜିଲ୍ଲାରେ ରାଜନୈତିକ ବିବାଦ ଶିଖର ଛୁଇଁଛି । ଚିନ୍ତାର ବିଷୟ ହେଲା ବିଜେପି ସରକାର ସମୟରେ ଜିଲ୍ଲାରେ ବିକାଶ ପଛେଇବା ସହିତ ବିବାଦ ଆଗେଇଛି । ଯାହାକୁ ନେଇ ଜିଲ୍ଲାବାସୀ ଚିନ୍ତାରେ ପଡିଛନ୍ତି ।
ବିଜେପି ସରକାରରେ ଯାଜପୁର ଜିଲ୍ଲାରୁ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇଛନ୍ତି ସୁକିନ୍ଦା ବିଧାୟକ ପ୍ରଦୀପ ବଳ ସାମନ୍ତ । ଧର୍ମଶାଳାରୁ ସ୍ୱାଧୀନ ଭାବେ ବିଧାୟକ ହୋଇଥିବା ହିମାଂଶୁ ସାହୁ ଏବେ ବିଜେପି ସରକାରରେ ଅତ୍ୟନ୍ତ ପ୍ରଭାବଶାଳୀ ବିଧାୟକ । ନିର୍ବାଚନ ପରଠାରୁ ଜିଲ୍ଲାର ଦୁଇଟି ନିର୍ବାଚନ ମଣ୍ଡଳୀ ସୁକିନ୍ଦା ଓ ଧର୍ମଶାଳା ଅଶାନ୍ତ ହୋଇ ପଡିଛି । ବିଜେପି ଓ ବିଜେଡି କର୍ମୀଙ୍କ ମଧ୍ୟରେ ତିକ୍ତତା ବଢିବା ସହିତ ବିଭିନ୍ନ ସମୟରେ ଉଭୟ ପକ୍ଷ ହାତା ହାତି ହୋଇଛନ୍ତି । ନିଜ ସଂଗଠନ ବଢାଇବାକୁ ବିଜେପି ଉଦ୍ୟମ କରୁଥିଲା ବେଳେ ବିକାଶ ଉପରୁ ନଜର ହଟାଇ ଦେଇଛନ୍ତି । ନିର୍ବାଚନ ପରଠାରୁ ସୁକିନ୍ଦାରେ ବିଭିନ୍ନ ସମୟରେ ବିଜେଡି ନେତା ଓ କର୍ମୀଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି । ଆକ୍ରମଣକୁ ନେଇ ବିଭିନ୍ନ ଥାନାରେ ମାମଲା ମଧ୍ୟ ରୁଜୁ ହୋଇଛି । ବିଗତ ଦିନରେ ବିବାଦ ଅଧିକ ହେବାରୁ ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ ମଧ୍ୟ ପୋଲିସ ସହିତ ପ୍ରତିପକ୍ଷକୁ ଖୋଲା ଚ୍ୟାଲେଞ୍ଜ ଦେବାକୁ ପଛାଇ ନାହାନ୍ତି । ଉଭୟ ପକ୍ଷଙ୍କ ବିବାଦ ଏବେବି ଥମିବାର ନାଁ ନେଉ ନାହିଁ । ଦିନେ ବିକାଶର ଶିଖର ଛୁଇଁ ଥିବା ସୁକିନ୍ଦାରେ ବିକାଶ ବେଶ ପଛକୁ ଚାଲି ଯାଇ ସାରିଛି ବୋଲି ଖୋଦ ସୁକିନ୍ଦାବାସୀ ଅଭିଯୋଗ କରୁଛନ୍ତି ।
ଅନ୍ୟଏକ ନିର୍ବାଚନ ମଣ୍ଡଳୀ ହେଲା ଧର୍ମଶାଳା । ଏହି ନିର୍ବାଚନ ମଣ୍ଡଳୀର ରାଜନୈତିକ ବିବାଦ ଏବେ ରାଜ୍ୟ ରାଜନୀତିକୁ ମଧ୍ୟ ହଲଚଲ କରିଦେଇଛି । କିଛି ଦିନ ତଳେ ବିଜେପି ସମର୍ଥକ ସ୍ୱାଧୀନ ବିଧାୟକ ହିମାଂଶୁ ସାହୁଙ୍କ ସମର୍ଥକଙ୍କ ଆକ୍ରମଣରେ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତ ରାୟଙ୍କ ସମର୍ଥକ ମାନେ ଲହୁ ଲୁହାଣ ହୋଇଛନ୍ତି । ଏହାକୁ ନେଇ ବିଜେଡି ଡିଜି ଅଫିସ ଭୁବନେଶ୍ୱରରେ ଘେରାଉ କରିଛି । ଦଳର ବହୁ ନେତା ଏହି ଘେରାଉରେ ସାମିଲ ହୋଇ ଅଭିଯୁକ୍ତଙ୍କ ଗିରଫ ଦାବି କୃଚ୍ଣ୍ଟିବ। ଏଠାରେ ରାଜନୈତିକ ବିବାଦ ନୂଆ ନୁହେଁ । ବିଜେଡି ସରକାର ସମୟରୁ ବର୍ତ୍ତମାନର ବିଧାୟକ ଓ ପୂର୍ବତନ ବିଧାୟକଙ୍କ ଭିତରେ ବିବାଦ ଦେଖା ଦେଇଥିଲା । ସମୟ କ୍ରମେ ହିମାଂଶୁ ସାହୁ କ୍ଷମତା ପ୍ରାପ୍ତ ହୋଇଥିଲା ବେଳେ ପ୍ରଣବ କ୍ଷମତା ହରାଇଛନ୍ତି ।
ନିର୍ବାଚନ ପରେ ହିମାଂଶୁଙ୍କ ଉପରେ ଯାଜପୁର ନିର୍ବାଚନ ମଣ୍ଡଳୀରେ ମଧ୍ୟ ଆକ୍ରମଣ ହୋଇଥିଲା । ମାମଲା କ୍ରାଇମ ବ୍ରାଞ୍ଚ ପର୍ଯ୍ୟନ୍ତ ମଧ୍ୟ ଯାଇଥିଲା । ଏବେ ଜିଲ୍ଲାରେ ରାଜନୈତିକ ବିବାଦ ଉଗ୍ରରୂପ ନେଉଥିଲା ବେଳେ ବିକାଶ ବେଶ ପଛକୁ ଚାଲି ଯାଇଛି । ବିଜେଡି ସରକାର ସମୟରେ ଯାଜପୁର ଜିଲ୍ଲାରେ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ହୋଇଥିଲା । ସରକାର ପରିବର୍ତ୍ତନ ପରେ ବିଜେପିର ନେତୃବୃନ୍ଦ କିନ୍ତୁ ଏହାକୁ ଅଣଦେଖା କରୁଛନ୍ତି । ରାସ୍ତା ଘାଟ, ସ୍ୱାସ୍ଥ୍ୟ ସେବା, ଶିକ୍ଷା ବିଗିଡି ଯାଇଥିଲା ବେଳେ ଖଣି ଖାଦାନ ଠାରୁ ନେଇ ବାଲି, ମାଟି, ନାଲିମାଟିର ବ୍ୟାପକ ଲୁଟ ହେଉଛି । ଆଇନ ଶୃଂଖଳା ପରିସ୍ଥିତି ମଧ୍ୟ ବିଗିଡି ଯାଇଛି ଜିଲ୍ଲାରେ। ଉଭୟ ଦଳ ବିବାଦରୁ ଦୁରେଇ ରହି ଜିଲ୍ଲା ବିକାଶକୁ ଗୁରୁତ୍ୱ ଦେବା ଜରୁରୀ ବୋଲି ବୁଦ୍ଧିଜୀବି ଦାବି କରିଛନ୍ତି ।




















