ଓଡ଼ିଶା ଲିଡ୍ସ(ବ୍ୟୁରୋ): ଇରାନରେ ସରକାରଙ୍କ ବିରୁଦ୍ଧରେ ପ୍ରତିବାଦ ତୀବ୍ର ହେଉଥିଲା ବେଳେ ପ୍ରତିବାଦ କାରୀଙ୍କୁ ନିର୍ମମ ଭାବେ ଦମନ କରାଯାଉଛି । ସରକାରଙ୍କ ନିର୍ଦ୍ଦେଶରେ ସୁରକ୍ଷା ବାହିନୀ ଅନେକ ସ୍ଥାନରେ ପ୍ରତିବାଦ କାରୀଙ୍କ ଉପରେ ଗୁଳି ଚଳାଇଥିବା ରିପୋର୍ଟ ସାରା ବିଶ୍ୱକୁ ସ୍ତବ୍ଧ କରିଛି । ତେହେରାନର ଜଣେ ଡାକ୍ତର କହିଛନ୍ତି, ରାଜଧାନୀ ତେହେରାନର ଛଅଟି ହସ୍ପିଟାଲରେ ୨୧୭ ଜଣ ପ୍ରତିବାଦକାରୀଙ୍କ ମୃତ୍ୟୁ ହୋଇଛି ।
ଇରାନରେ ଇସଲାମିକ ଏକ ଛତ୍ରବାଦ ଶାସନ ବିରୋଧରେ ଚାଲିଥିବା ପ୍ରତିବାଦ ଏବେ ହିଂସାତ୍ମକ ପ୍ରତିବାଦରେ ପରିଣତ ହୋଇଛି । ଇରାନ ସରକାରଙ୍କ ନିର୍ଦ୍ଦେଶରେ ସୁରକ୍ଷା ବାହିନୀ ଅନେକ ସ୍ଥାନରେ ଗୁଳି ଚଳାଇଥିବା ରିପୋର୍ଟ ସାମ୍ନାକୁ ଆସିଛି । ମୃତକଙ୍କ ମଧ୍ୟରୁ ଅଧିକାଂଶ ଗୁଳି ମାଡ଼ରେ ପ୍ରାଣ ହରାଇଛନ୍ତି । ଅନ୍ୟ ପକ୍ଷରେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନି ଏହି ପ୍ରତିବାଦ ପାଇଁ ଆମେରିକାକୁ ଦାୟୀ କରିଛନ୍ତି ।
ସରକାରଙ୍କୁ ବିରୋଧ ଆରମ୍ଭ ହେବା ପରଠାରୁ ସରକାର ଦେଶରେ ଇଣ୍ଟରନେଟ୍ ଏବଂ ଫୋନ୍ ସଂଯୋଗକୁ ସମ୍ପୂର୍ଣ୍ଣ ବନ୍ଦ ରଖିଛନ୍ତି । ଦେଶରେ ଆର୍ଥିକ ସଙ୍କଟର ପ୍ରତିବାଦରେ ଏହି ଆନ୍ଦୋଳନ ଚାଲିଥିଲା ବେଳେ ଏବେ ଏହା ଦେଶର ସମସ୍ତ ୩୧ଟି ପ୍ରଦେଶକୁ ବ୍ୟାପି ସାରିଛି । ଲୋକେ ରାସ୍ତାକୁ ଓହ୍ଲାଇ ଇସଲାମିକ ଶାସନକୁ କ୍ଷମତାରୁ ହଟାଇବାକୁ ଦାବି କରୁଛନ୍ତି ।




















