ଓଡ଼ିଶା ଲିଡ୍ସ(ବ୍ୟୁରୋ): ସୁଯୋଗ ମିଳିଲେ ଜଣେ ପ୍ରତିଭାବାନ ଖେଳାଳି ନିଜ ଖେଳ ବଳରେ ରାତା ରାତି କିଭଳି କ୍ରିକେଟ ଦୁନିଆରେ ଚର୍ଚ୍ଚିତ ହୋଇ ହିରୋ ପାଲଟି ଯାଏ ତାହାର ଉଦାହରଣ ହେଉଛନ୍ତି ମୁକୁଲ ଚୌଧୁରୀ । ଗତ କାଲିର ଆଇପିଏଲ ଟୁର୍ଣ୍ଣାମେଣ୍ଟର କେକେଆର ଓ ଏଲଏସଜି ମଧ୍ୟରେ ଆୟୋଜିତ ମ୍ୟାଚର ଚର୍ଚ୍ଚା ଯେତିକି ତାଠାରୁ ଅଧିକ ଚର୍ଚ୍ଚା ମୁକୁଲ ଚୌଧୁରୀଙ୍କ ଅବିସ୍ମରଣୀୟ ବ୍ୟାଟିଂକୁ ନେଇ । ୨୭ ବଲରେ ଅବିସ୍ମରଣୀୟ ପାଳି ଖେଳି କେକେଆର ନିକଟରୁ ମ୍ୟାଚ ଛଡାଇ ଆଣିଥିଲେ ମୁକୁଲ । ତାଙ୍କର ଏହି ଇନିଂସ ବେଶ କିଛି ଦିନ ପ୍ରଶଂସକଙ୍କ ମନେ ରହିବ । ରାଜସ୍ଥାନର ଝୁଝୁନ୍ ଜିଲ୍ଲାର ଛୋଟ ଗାଁ ‘ଖେଡାରୋ’ ନିକଟ ଢାଣୀ ଲେଖିଲା ଏକ କାହାଣୀ, ଯାହା କ୍ରିକେଟ୍ ପ୍ରଂଶସକଙ୍କ ପାଇଁ ସ୍ମରଣୀୟ ରହିବ। ରାଜସ୍ଥାନର ଝୁଝୁନ୍ ଜିଲ୍ଲାର ଏକ ଛୋଟ ଗାଁ ‘ଖେଡାରୋ’ ନିକଟ ଢାଣୀରେ ଜନ୍ମ ଗ୍ରହଣ କରିଥିଲେ ମୁକୁଲ । ତାଙ୍କୁ ଜଣେ କ୍ରିକେଟର କରିବାକୁ ତାଙ୍କ ବାପାଙ୍କ ଆଶା, ଅଭିଳାଷ ଏବଂ ଅତୁଟ ବିଶ୍ବାସର କାହାଣୀକୁ ସଫଳ କରିଛନ୍ତି ମୁକୁଲ ।
ମୁକୁଲଙ୍କ ବାପା ଦଲୀପ ଚୌଧୁରୀ ଏକ ବଡ଼ ସ୍ବପ୍ନ ଦେଖିଥିଲେ। ତାଙ୍କର ସ୍ୱପ୍ନ ଥିଲା ଯଦି ପୁଅ ଜନ୍ମ ହୁଏ, ତା’ହେଲେ ତାକୁ କ୍ରିକେଟ୍ର କରିବେ । ୨୦୦୪ରେ ଦଲୀପ ପିତା ହେବାର ସ୍ୱପ୍ନ ପୂରଣ ହୋଇଥିଲା ବେଳେ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା । ଦଲୀପ ୬ବର୍ଷ ପର୍ଯ୍ୟନ୍ତ ରାଜସ୍ଥାନ ପ୍ରଶାସନିକ ସେବା (ଆରଏଏସ୍) ପାଇଁ କଠିନ ପରିଶ୍ରମ କରି ସଫଳତା ପାଇ ନଥିଲେ । ଏହା ପରେ ସେ ରିୟଲ ଇଷ୍ଟେଟ ବ୍ୟବସାୟ କରି ମଧ୍ୟ ବିଫଳ ହେଲେ । ୨୦୧୬ ମସିହାରେ ସେ ପୁଅ ମୁକୁଲ ପାଇଁ ଏକ ଭଲ କ୍ରିକେଟ୍ ଏକାଡେମୀ ଖୋଜିବାକୁ ସିକର ଯାଇ ସେଠାରେ ମୁକୁଲଙ୍କ ନାମ ଲେଖାଇଥିଲେ।
ରୋଜଗାରର କୌଣସି ସ୍ଥାୟୀ ପନ୍ଥା ନଥିଲା ବେଳେ ପୁଅ ପାଇଁ ଖର୍ଚ୍ଚ ବଢ଼ି ଚାଲିଥିଲା। ହେଲେ ନିଜ ସ୍ୱପ୍ନକୁ ସାକାର କରିବାକୁ ସବୁକିଛି କରିବାକୁ ପ୍ରସ୍ତୁତ ଥିଲେ ସେ । ପୁଅ ପାଇଁ ନିଜର ଘର ମଧ୍ୟ ୨୧ ଲକ୍ଷ ଟଙ୍କାରେ ବିକ୍ରି କରି ଦେଇଥିଲେ ।ଏହି ଟଙ୍କାକୁ ପୁଅର କ୍ରିକେଟ ଖେଳରେ ସେ ବିନିଯୋଗ କରିଦେଲେ। ଏହା ପରେ ସେ ଋଣ କରି ହୋଟେଲ ବ୍ୟବସାୟ କଲେ । ଋଣ କିସ୍ତି ପରିଶୋଧ ନକରି ପାରି ଜେଲ ଯାଇଥିଲେ । ଏଭଳି କଠିନ ସମୟରେ ସଂପର୍କୀୟମାନେ ମଧ୍ୟ ଦୂରେଇ ରହିଥିଲେ ତାଙ୍କ ନିକଟରୁ ।
ମୁକୁଲ ମଧ୍ୟ ନିଜ ପିତାଙ୍କ ସଂଘର୍ଷକୁ ଅତି ନିକଟରୁ ଦେଖିଛନ୍ତି। ଯେତେବେଳେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ତାଙ୍କୁ ଆଇପିଏଲ୍ ନିଲାମୀରେ ୨.୬୦ କୋଟି ଟଙ୍କାରେ କିଣିଥିଲା, ତାଙ୍କର ପ୍ରଥମ ପ୍ରତିଶ୍ରୁତି ଥିଲା ଯେ, ବାପାଙ୍କର ଋଣ ପରିଷୋଧ କରିବେ।
ଏହି ମ୍ୟାଚ ପୂର୍ବରୁ ମୁକୁଲ ତାଙ୍କ ବାପାଙ୍କୁ କହିଥିଲେ ସୁଯୋଗ ମିଳିଲେ ମ୍ୟାଚ୍ ଶେଷ କରିବି। ଯାହା ସେ କରି ଦେଖାଇଥିଲେ ।
ମୁକୁଲଙ୍କ ଉପରେ ମହେନ୍ଦ୍ର ସିଂହ ଧୋନିଙ୍କ ପ୍ରଭାବ ପଡ଼ିଛି। ୨୦୧୧ ବିଶ୍ବକପ୍ ଫାଇନାଲ ପରେ ସେ ଧୋନିଙ୍କ ଭଳି ମ୍ୟାଚ ଶେଷ କରିବାକୁ ସ୍ବପ୍ନ ଦେଖିଥିଲେ। ମୁକୁଲ କୁହନ୍ତି, ଧୋନି ଯେଉଁଭଳି ଅଡୁଆ ବଲ୍କୁ ମଧ୍ୟ ଛକା ମାରନ୍ତି, ସେହି ଶୈଳୀ ମୁଁ ଶିଖିବାକୁ ଚାହୁଁଛି। ଧୋନିଙ୍କୁ ଜଣେ ସଫଳ ଫିନିସର ଭାବେ ଦେଖନ୍ତି ମୁକୁଲ ।




















