ଓଡ଼ିଶା ଲିଡ୍ସ(ବ୍ୟୁରୋ): ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଲା ପରେ ସି ଯୋଶେଫ ବିଜୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ବୁଧବାର ଦିଲ୍ଲୀର ସେବା ତୀର୍ଥକୁ ଆସି ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଦୀର୍ଘ ସମୟ ଧରି ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି। ମୁଖ୍ୟମନ୍ତ୍ରୀ ହେବା ପରେ ବିଜୟଙ୍କର ଏହା ପ୍ରଥମ ଦିଲ୍ଲୀ ଗସ୍ତ । ସେବା ତୀର୍ଥରେ ଉଭୟଙ୍କ ମଧ୍ୟରେ ପ୍ରାୟ ୨୫ ମିନିଟ ଧରି ଆଲୋଚନା ହୋଇଥିଲା । ମୋଦିଙ୍କୁ ସେ ଭେଟିବା ସମୟରେ ଉତ୍ତରୀୟ ଦେଇ ସମ୍ମାନିତ କରିଥିଲେ ।
ମୋଦିଙ୍କୁ ଭେଟିବା ପରେ ମୁଖ୍ୟମନ୍ତ୍ରୀ ବିଜୟ ଦିଲ୍ଲୀରେ ଥିବା ତାମିଲନାଡୁ ଭବନକୁ ଆସିଥିଲେ। ଏଠାରେ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ବିଜୟ ଦିଲ୍ଲୀରେ ଉପ ରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନନ, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ବି ଭେଟିବାର କାର୍ଯ୍ୟକ୍ରମ ରହିଛି । ଏହାପରେ ସେ ବରିଷ୍ଠ କଂଗ୍ରେସ ନେତୃବୃନ୍ଦଙ୍କୁ ମଧ୍ୟ ଭେଟିବେ । ଅନ୍ୟ ନେତୃବୃନ୍ଦଙ୍କୁ ବି ତାଙ୍କର ଭେଟିବାର କାର୍ଯ୍ୟକ୍ରମ ରହିଛି ।




















