ଓଡ଼ିଶା ଲିଡ୍ସ(ଦଶରଥପୁର): ବନ୍ୟାର ବହୁ ଦିନ ପରେ ଯାଜପୁର ଜିଲ୍ଲା ପ୍ରଶାସନ ବନ୍ୟା ପିଡୀତଙ୍କୁ ବିଶୋଧିତ ପାନୀୟ ଜଳ ପ୍ରଦାନ କରିବାର ବ୍ୟବସ୍ଥା କରିଛି । ଏ ନେଇ କଂଗ୍ରେସ ଜିଲ୍ଲା ପ୍ରଶାସନକୁ କଟାକ୍ଷ କରିବା ପରେ ପ୍ରଶାସନ ପଦକ୍ଷେପ ନେଇଛି । ବୈତରଣୀ ଓ ତାର ଶାଖା କାଣୀ ନଦୀରେ ଚଳିତ ବର୍ଷ ଆସିଥିବା ପ୍ରଳୟଙ୍କାରୀ ବନ୍ୟା ଦଶରଥପୁର ବ୍ଲକର ୫୯ଟି ଗାଁର ଲୋକଙ୍କୁ ଦୁର୍ଦଶା ଭିତରକୁ ଠେଲି ଦେଇଛି । ବନ୍ୟାରେ ରାସ୍ତାଘାଟ, ଘରଦ୍ୱାର, ଚାଷଜମି ସବୁ ଛିନଭିନ ହୋଇଯାଇଛି। ଆଜି ମଧ୍ୟ ସମସ୍ତ ବନ୍ୟା ପ୍ଲାବିତ ଗାଁର ଲୋକେ ନିଜ ଘରକୁ ଫେରି ନାହାନ୍ତି । ନଦୀ ବନ୍ଧରେ ପାଲଟଙ୍ଗା ଘର ସେମାନଙ୍କ ଆଶ୍ରୟ ସ୍ଥଳୀରେ ପରିଣତ ହୋଇଛି । ଘରେ ପାଣି ପଶିବା ଦିନଠୁ ପାନୀୟ ଜଳ ବନ୍ୟା ପିଡୀତଙ୍କ ପାଇଁ ପ୍ରମୁଖ ସମସ୍ୟା ହୋଇଛି । ଦୀର୍ଘଦିନ ପରେ ଆଜି ଜିଲ୍ଲା ପାନୀୟଜଳ ବିଭାଗ ତରଫରୁ ବନ୍ୟା ବିପନ୍ନଙ୍କୁ ବିଶୋଧିତ ପାନୀୟଜଳ ଯୋଗାଣ ଉଦ୍ଦେଶ୍ୟରେ କାଣୀ ନଦୀ ଅବବାହିକା କସପା ପଞ୍ଚାୟତ ଅହିୟାସ ସାନପୋଲ ନିକଟରେ ପ୍ରବାହିତ ବନ୍ୟା ଜଳକୁ ଭ୍ରାମ୍ୟମାଣ ବିଶୋଧନ ଯନ୍ତ୍ର ମାଧ୍ୟମରେ ବିଶୋଧିତ ପାଣି ପାଉଚକୁ ବନ୍ୟା ପୀଡିତ ମାନଙ୍କୁ ଯୋଗାଇ ଦେବାର ବ୍ୟବସ୍ଥା ହୋଉଛି । ଆଜି ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ଦେବୀ ପ୍ରସାଦ ମହାନ୍ତି, ଦଶରଥପୁର ବିଡ଼ିଓ ଆକାଶ ପଟ୍ଟନାୟକ, ବିଭାଗୀୟ ନିର୍ଦେଶକ ଭିନୀତ ଭରଦ୍ୱାଜ, ଇଆଇସି ରତ୍ନାକର ଶିଅଳ, ପାନୀୟଜଳ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ରୋୖପ୍ୟ ରଞ୍ଜନ ବେହେରାଙ୍କ ସମେତ ଜିଲ୍ଲା ଓ ବ୍ଲକର ପାନୀୟଜଳ ଅଧିକାରୀ ଏବଂ ସ୍ଥାନୀୟ ଜନ ପ୍ରତିନିଧି ଏହି ସମୟରେ ଉପସ୍ଥିତ ଥିଲେ।




















