ଓଡ଼ିଶା ଲିଡ୍ସ(ଯାଜପୁର): ଯାଜପୁର ଜିଲ୍ଲାର ପ୍ରମୁଖ ରାସ୍ତା କୁଆଖିଆ-ବରୁଆଁ-ଯାଜପୁର ଟାଉନ ରାସ୍ତା ଏବେ ଜାତୀୟ ରାଜପଥର ମାନ୍ୟତା ପାଇଛି । ପୂର୍ବରୁ ଏହି ରାସ୍ତା ପୂର୍ତ୍ତ ବିଭାଗ ଅଧିନରେ ଥିଲା ବେଳେ ବର୍ତ୍ତମାନ ଜାତୀୟ ରାଜପଥ ବିଭାଗ ଅଧିନରେ ରହିଛି । ଏହି ରାସ୍ତା ଦେଇ ଦୈନିକ ହଜାର ହଜାର ଗାଡି ଗତାଗତ କରୁଥିଲା ବେଳେ ରାସ୍ତା ଅବସ୍ଥା ବିଭିନ୍ନ ସ୍ଥାନରେ ଶୋଚନୀୟ ହୋଇ ପଡିଛି । ବିଶେଷ କରି ଏହି ରାସ୍ତାର ପ୍ରମୁଖ ସେତୁ ଖରସ୍ରୋତା ସେତୁର ବିଭିନ୍ନ ସ୍ଥାନରେ ଢ଼ଳେଇ ଭାଙ୍ଗି ବଡ଼ବଡ଼ ଖାଲ ସୃଷ୍ଟି ହୋଇଛି । ଯାହା ଫଳରେ ବାଇକ ଓ କାର ଚାଳକ ମାନେ ବିଭିନ୍ନ ସମୟରେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ଏହାକୁ ତୁରନ୍ତ ମରାମତି ନକଲେ ବଡ଼ ଦୁର୍ଘଟଣାର ଆଶଙ୍କା ମଧ୍ୟ ରହିଛି ।



















