ଓଡ଼ିଶା ଲିଡ୍ସ(ସୁକିନ୍ଦା): ସୁକିନ୍ଦା ବ୍ଲକ କାର୍ଯ୍ୟାଳୟ ପରିସରରେ ଆଜି ଜିଲ୍ଲା ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇ ଯାଇଛି। ଏହି ଶିବିରରେ ମୋଟ ୬୬ଟି ଅଭିଗୋଗ ଶୁଣାଣୀ ପାଇଁ ଅଭିଯୋଗ ପଞ୍ଜୀକୃତ ହୋଇଥିଲା। ଏଥି ମଧ୍ୟରୁ ବ୍ୟକ୍ତିଗତ ସମସ୍ୟା ସମ୍ପର୍କୀୟ ୪୮ଟି ଅଭିଯୋଗ ଥିଲାବେଳେ ସାମୂହିକ ସ୍ବାର୍ଥ ସମ୍ବନ୍ଧୀୟ ଦୁଇଟି ଅଭିଯୋଗ ଥିଲା। ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡରୁ ସହାୟତା ସମ୍ବନ୍ଧୀୟ ୧୫ଟି ଅଭିଯୋଗ ଥିଲା। ଏହି ସମସ୍ତ ୬୬ ଗୋଟି ଅଭିଯୋଗ ମଧ୍ୟରୁ ୧୭ ଗୋଟି ଅଭିଯୋଗର ତ୍ୱରିତ ସମାଧାନ ହୋଇଥିଲ ବେଳେ ଅନ୍ୟ ଅଭିଯୋଗ ଗୁଡ଼ିକୁ ସଂପୃକ୍ତ ବିଭାଗ ଗୁଡ଼ିକୁ ଆବଶ୍ୟକ ପଦକ୍ଷେପ ନେବା ପାଇଁ ପଠା ଯାଇଛି।ଏହି ଅଭିଯୋଗ ଶୁଣାଣୀ ଶିବିରରେ ଜିଲ୍ଲାପାଳ ଅମ୍ବର କୁମାର କର, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ୟଶ ପ୍ରତାପ ଶ୍ରୀମଲ୍, ଅତିରିକ୍ତ ଜିଲ୍ଲାପାଳ ଯୁଧିଷ୍ଠିର ନାୟକ, ଉପଜିଲ୍ଲାପାଳ ତାପସ ରଞ୍ଜନ ଦେହୁରୀ,ଏପିଡି ଲମ୍ବୋଦର ଖୁଣ୍ଟିଆ, ସୁକିନ୍ଦା ବିଡ଼ିଓ ପ୍ରଜ୍ଞା ପାରମିତା ପୃଷ୍ଟି, ସୁକିନ୍ଦା ପଞ୍ଚାୟତ ସମିତି ଅଧ୍ୟକ୍ଷ ଦିବ୍ୟ ରଞ୍ଜନ ବରାଳଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ମାନେ ଯୋଗ ଦେଇ ଅଭିଯୋଗ ଶୁଣିବା ସହିତ ସମାଧାନ ପାଇଁ ପଦକ୍ଷେପ ନେଇଥିଲେ। ତେବେ ପ୍ରଚାର ପ୍ରସାର ଅଭାବରୁ ଏହି ଅଭିଯୋଗ ଶୁଣାଣୀ ଶିବିରରେ କ୍ରମଶଃ ଅଭିଯୋଗ ସଂଖ୍ୟା କମିବାରେ ଦେଖିବାକୁ ମିଳୁଛି।ଏଥି ପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ପ୍ରଚାର ପ୍ରସାର ପ୍ରତି ଗୁରୁତ୍ୱ ଦେବାକୁ ଦାବି ହୋଇଛି ।



















