ପାଟନା: ବିହାର ନିର୍ବାଚନକୁ ନେଇ ଜୋରଦାର ଚର୍ଚ୍ଚା । ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହୋଇନି କି ଏନେଇ କୌଣସି ଦଳ ପକ୍ଷରୁ ପ୍ରଚାର ବି ଆରମ୍ଭ ହୋଇନି । ହେଲେ ଏବେଠୁ ସରଗରମ ହେଲାଣି ରାଜନୀତି । ଗତ ୨ ମାସ ହେଲାଣି ଚର୍ଚ୍ଚା ହେଉଛି କି, ନୀତୀଶ କୁମାର ଏନଡିଏ ମେଣ୍ଟ ଛାଡ଼ି ଇଣ୍ଡି ମେଣ୍ଟରେ ଯୋଗ ଦେବେ । ବିଧାନସଭା ନିର୍ବାଚନ ଲଢିବେ । ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଥିଲା ଯେତେବେଳେ ଦିଲ୍ଲୀରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଦେହାନ୍ତ ସମୟରେ ନୀତିଶ ଦିଲ୍ଲୀ ଯାଇଥିଲେ ହେଲେ ବିଜେପି ନେତାଙ୍କ ସହ ଆଦୌ କଥା ହୋଇନଥିଲେ କିନ୍ତୁ କଂଗ୍ରେସ ନେତାଙ୍କ ସହ ଆଲୋଚନା କରିଥିଲେ । ଏହାରି ଭିତରେ ଗୃହମନ୍ତ୍ରୀ ଅମିତ୍ ଶାହ ବିହାର ଗସ୍ତରେ ଯାଇଥିଲେ । ଏବେ କିନ୍ତୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ନୀତୀଶ ଭେଟିବା ପରେ ଚର୍ଚ୍ଚା ଜୋର ଧରିଛି ।
ନଡ୍ଡାଙ୍କ ବିହାର ଗସ୍ତ ସମୟରେ ହଠାତ୍ ତାଙ୍କୁ ଭେଟିବାକୁ ପହଞ୍ଚିଥିଲେ ନୀତୀଶ କୁମାର । କେବଳ ନୀତୀଶ କୁମାର ନୁହେଁ ବରଂ ତାଙ୍କ ସହ ମନ୍ତ୍ରୀମାନେ ମଧ୍ୟ ନଡ୍ଡାଙ୍କ ସହ ସାକ୍ଷାତ କରିଛନ୍ତି । ବନ୍ଦ ଘରେ ହୋଇଥିବା ବୈଠକରେ ଅନେକ ପ୍ରସଙ୍ଗରେ ଆଲୋଚନା ହୋଇଛି । ଆଉ ଏହି ଆଲୋଚନା ବଡ଼ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଉଛି ।
କାରଣ ନିର୍ବାଚନକୁ ହାତରେ କମ୍ ସମୟ ଥିବା ବେଳେ ମୋଦୀ ଓ ନଡ୍ଡା ନୀତୀଶଙ୍କୁ କି ପ୍ରକାର ରାଜନୈତିକ ଟ୍ୟୁସନ କଲେ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଗୁରୁତ୍ବପୂର୍ଣ୍ଣ କଥା ହେଲା, ଏହି ବୈଠକରେ ଗୋଟିଏ ସୋଫା ଉପରେ ଦୁଇ ନେତା ଏକା ସାଙ୍ଗରେ ବସିଥିଲେ । ତେଣୁ କୁହାଯାଇପାରେ ଉଭୟ ଏହା ବାର୍ତ୍ତା ଦେବାକୁ ଚାହୁଁଥିଲେ କି, ଆମ ଭିତରେ ସବୁକିଛି ଠିକ୍ଠାକ୍ ଚାଲିଛି ।