ଜାନୁଆରି ୧୯ ତାରିଖରେ ଆରମ୍ଭ ହୋଇଥିବା ଇସ୍ରାଏଲ ହମାସ ଅସ୍ତ୍ରବିରତି ଅନେକ ସମସ୍ୟାର ସମ୍ମୁଖୀନ ହୋଇଛି। ହମାସ ଗାଜାକୁ ପର୍ଯ୍ୟାପ୍ତ ମାନବିକ ସହାୟତା ଯୋଗାଇ ନଥିବା ନେଇ ଇସ୍ରାଏଲ ବିରୋଧରେ ଅଭିଯୋଗ କରିଥିଲା, ଫଳରେ ବନ୍ଧକଙ୍କ ମୁକ୍ତିରେ ବିଳମ୍ବ ହୋଇଥିଲା…
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ଧମକ ସତ୍ତ୍ୱେ, ହମାସ କେବଳ ତିନି ଜଣ ବନ୍ଧକଙ୍କୁ ମୁକ୍ତ କରିଛି। ଏଭଳି କରି ହମାସ ଟ୍ରମ୍ପଙ୍କୁ ନିଜର ଲାଲ ଆଖି ଦେଖାଇଥିବା ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ହେଉଛି।
ଏହି ଅସ୍ତ୍ରବିରତି ସମ୍ପର୍କରେ ବାରମ୍ବାର ସମସ୍ୟା ଦେଖାଦେଇଛି। ବନ୍ଧକଙ୍କ ବଦଳରେ ଇସ୍ରାଏଲକୁ ଶହ ଶହ ପାଲେଷ୍ଟାଇନ ବନ୍ଦୀଙ୍କୁ ମୁକ୍ତ କରିବାକୁ ବାଧ୍ୟ କରାଯାଇଥିବାରୁ ଚୁକ୍ତିନାମା ବାରମ୍ବାର ସମସ୍ୟାର ସମ୍ମୁଖୀନ ହୋଇଛି।
ତିନି ଜଣ ବନ୍ଧକ ହେଉଛନ୍ତି ୩୬ବର୍ଷୀୟ ଆମେରିକୀୟ-ଇସ୍ରାଏଲୀ ସାଗୁଇ ଡେକେଲ୍ ଚେନ୍, ୪୬ ବର୍ଷୀୟ ଇସ୍ରାଏଲୀ-ଆର୍ଜେଣ୍ଟିନା ନାଗରିକ ଆୟାର ହର୍ନ ଏବଂ ରୁଷୀୟ-ଇସ୍ରାଏଲୀ ୨୯ ବର୍ଷୀୟ ଆଲେକଜାଣ୍ଡର (ସାଶା) ଟ୍ରୋଫାନୋଭଙ୍କୁ ୭ ଅକ୍ଟୋବର ୨୦୨୩ରେ ହମାସ ନେତୃତ୍ୱରେ ହୋଇଥିବା ଆକ୍ରମଣ ସମୟରେ ଅପହରଣ କରାଯାଇଥିଲା।
ମୁକ୍ତ ହୋଇଥିବା ବନ୍ଦୀମାନଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ସେମାନଙ୍କ ପରିବାର ସହିତ ପୁନଃମିଳନ ପାଇଁ ଇସ୍ରାଏଲୀ ସାମରିକ ହେପାଜତକୁ ନିଆଯାଇଥିଲା। ତିନିଜଣ ବନ୍ଧକ କ୍ଳାନ୍ତ ଜଣାପଡୁଥିଲେ। କିନ୍ତୁ ପୂର୍ବରୁ ମୁକ୍ତ ହୋଇଥିବା କିଛି ବନ୍ଦୀଙ୍କ ଅପେକ୍ଷା ସେମାନଙ୍କର ଅବସ୍ଥା ଭଲ ରହିଛି ବୋଲି ଇସ୍ରାଏଲ କହିଛି।