ଓଡ଼ିଶା ଲିଡ୍ସ(ବ୍ୟୁରୋ): ଗୁଗୁଲ ମ୍ୟାପ ଏବେ ପଥଚାରୀଙ୍କ ପାଇଁ ବିପଦର କାରଣ ପାଲଟିଛି । ଗ୍ରେଟର ନୋଏଡାରେ ଗୁଗୁଲ୍ ମ୍ୟାପ୍ ଯୋଗୁଁ ପୁଣି ଏକ ବଡ଼ ଦୁର୍ଘଟଣା ଘଟି ଜଣେ ଷ୍ଟେସନ ମାଷ୍ଟରଙ୍କ ମୃତ୍ୟୁ ହୋଇଛି । ଗୁଗୁଲ୍ ମ୍ୟାପ ଉପରେ ଭରସା କରି ଯାତ୍ରା କରୁଥିବା ଜଣେ ଷ୍ଟେସନ ମାଷ୍ଟରଙ୍କ କାର ୩୦ ଫୁଟ ଗଭୀର ଡ୍ରେନ ଭିତରକୁ ଖସି ପଡ଼ିଥିଲା। ଏହି ଦୁର୍ଘଟଣା ସ୍ଥଳରେ ଷ୍ଟେସନ ମାଷ୍ଟରଙ୍କ ମୃତ୍ୟୁ ହୋଇଯାଇଥିବା ଘଟଣା ସାମ୍ନାକୁ ଆସିଛି। ଦିଲ୍ଲୀର ମଣ୍ଡାଭାଲିର ବାସିନ୍ଦା ଷ୍ଟେସନ ମାଷ୍ଟର ଭାରତ ଭାଟି ଏକ ବିବାହ ଉତ୍ସବରେ ଯୋଗ ଦେବାକୁ ଯାଉଥିଲେ। ଏହି ଉତ୍ସବ ଯେଉଁ ସ୍ଥାନର ରାସ୍ତା ଭାରତଙ୍କୁ ଜଣା ନଥିଲା। ତେଣୁ ସେ ଗୁଗୁଲ୍ ମ୍ୟାପର ସାହାଯ୍ୟ ନେଇଥିଲେ। ଗୁଗୁଲ ମ୍ୟାପ ଯେଉଁ ରାସ୍ତା ଦେଖାଇଥିଲା ତାହାକୁ ଷ୍ଟେସନମାଷ୍ଟର ବିଶ୍ବାସ କରି ଆଗକୁ ଆଗକୁ ଯାଉଥିଲେ ।
କିଛିବାଟ ଆଗକୁ ଯିବା ପରେ ରାସ୍ତା ଶେଷ ହୋଇ ସାମ୍ନାରେ ଏକ ଗଭୀର ଡ୍ରେନ ଥିଲା। ଯାହାକୁ ସେ ଜାଣି ପାରି ନଥିଲେ। ଫଳରେ ଗାଡ଼ିଟି ସିଧା ୩୦ଫୁଟର ଗଭୀର ଡ୍ରେନ ଭିତରେ ପଶି ଯାଇଥିଲା। ସ୍ଥାନୀୟ ଲୋକମାନେ ଘଟଣା ବିଷୟରେ ପୁଲିସକୁ ସୂଚନା ଦେଇଥିଲେ।
ସୂଚନା ପାଇବା ମାତ୍ରେ ପୁଲିସ ଷ୍ଟେସନ ମାଷ୍ଟରଙ୍କୁ ଡ୍ରେନ ଭିତରୁ ବାହାର କରିବାକୁ କଠିନ ପରିଶ୍ରମ କରିଥିଲେ । ଉଦ୍ଧାର ପରେ ଭାରତଙ୍କୁ ହସ୍ପିଟାଲ ନିଆଯାଇଥିଲା କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।