ଓଡ଼ିଶାଲିଡ୍ସ(ଯାଜପୁର):ଐତିହାସିକ, ସାଂସ୍କୃତିକ ସହର ଯାଜପୁର । ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ବିରଜାଙ୍କ ଏହି କ୍ଷେତ୍ରର ସାରା ଦେଶରେ ରହିଛି ଭିନ୍ନ ପରିଚୟ । କେବଳ ବିରଜା ମନ୍ଦିର ନୁହେଁ ଏହି ସହରରେ ରହିଛି ଅନେକ ଦେବା ଦେବୀ ମନ୍ଦିର । ବହୁ ତୀର୍ଥ ସ୍ଥାନ । ସମୟ କ୍ରମେ ଏହି ସହରର କଳେବର ବେଶ ବୃଦ୍ଧି ହୋଇଛି । ବିଶେଷ କରି ବିଭିନ୍ନ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ହେବା ଦ୍ୱାରା ଜିଲ୍ଲା ତଥା ଜିଲ୍ଲା ବାହାରର ବହୁ ଛାତ୍ରଛାତ୍ରୀ ଏଠାରେ ଅଧ୍ୟୟନ କରୁଛନ୍ତି । ସହର ବଢ଼ିବା ସହିତ ସହରର ଲୋକ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇଛି । ଏହି ସମୟରେ ନିଶା ବେପାରୀ ସହର ଉପରେ ନଜର କେନ୍ଦ୍ରୀଭୂତ କରିଛନ୍ତି । ଯୁବ ସମାଜକୁ ନିଶା ଗ୍ରସ୍ତ କରି ଅର୍ଥ ରୋଜଗାର କରିବାକୁ ଜାଲ ବିଛାଇଛନ୍ତି ନିଶା ବେପାରୀ । ଆଉ ନିଶା ବେପାରୀଙ୍କ ଜାଲରେ ଖୁବ ସହଜରେ ଧରା ଦେଉଛନ୍ତି ଯୁବକ ମାନେ । ଯାହାର ସୁଯୋଗରେ ସହର ସାରା ଏବେ ନିଶା ଦ୍ରବ୍ୟ ବ୍ୟବସାୟ ବେଶ ବଢି ଯାଇଛି । ସହରରେ ମଦ ଅତି ସାଧାରଣ କଥା ହୋଇଥିଲା ବେଳେ ଏବେ ଗଞ୍ଜେଇ ଓ ବ୍ରାଉନ ସୁଗାର ମଦକୁ ଅତିକ୍ରମ କରି ସାରିଛି । ସହରର ଗଳି କନ୍ଦିରେ ଏବେ ଗଞ୍ଜେଇ ଓ ବ୍ରାଉନ ସୁଗାର ବିକ୍ରି ବ୍ୟାପକ ହୋଇଛି ।
ଅନ୍ୟାୟସରେ ନିଶା ସେବନକାରୀ ଏହି ସବୁ ନିଶା ଦ୍ରବ୍ୟ ପାଇ ପାରୁଛନ୍ତି । କେଉଁଠି ନିଶା ଦ୍ରବ୍ୟ ମିଳୁଛି, କିଏ ଏହାକୁ ବିକ୍ରି କରୁଛନ୍ତି, କେଉଁ ସ୍ଥାନରୁ ଏହା କିପରି ସହର ମଧ୍ୟକୁ ପ୍ରବେଶ କରୁଛି ସେ ନେଇ ସମସ୍ତେ ଅବଗତ ଥିଲା ବେଳେ ଅବକାରୀ ବିଭାଗ ଓ ପୋଲିସ ବିଭାଗ ପାଖରେ କେମିତି ଖବର ପହଞ୍ଚି ପାରୁନାହିଁ ତାହା ସନ୍ଦେହ ସୃଷ୍ଟି କରୁଛି । ନିଶା କାରବାର କରୁଥିବା ନିଶା ବେପାରୀଙ୍କ ସହିତ ଅବକାରୀ ଓ ପୋଲିସ ଅଧିକାରୀଙ୍କ ମଧୁଚନ୍ଦ୍ରିକା କାରଣରୁ ଦୁଇ ବିଭାଗ ନିରବ ବସିଥିବା ସହରର ବହୁ ବୁଦ୍ଧିଜୀବି ମତ ଦେବା ସହିତ ଆଗକୁ ଏହା ଜଟିଳ ସମସ୍ୟା ସୃଷ୍ଟି କରିବ ବୋଲି ଆଶଙ୍କା କରିଛନ୍ତି ।
ଦିନକୁ ଦିନ ନିଶା କାରବାର ବଢୁଥିଲା ବେଳେ ବିଭିନ୍ନ ସ୍କୁଲ କଲେଜର ଛାତ୍ର ଏବେ ନିଶାଶକ୍ତ ହୋଇ ସାରିଲେଣି । ଆଗକୁ ଏହା ଜଟିଳ ସମସ୍ୟା ସୃଷ୍ଟି କରିବା ପୂର୍ବରୁ ଅବକାରୀ ଓ ପୋଲିସ ବିଭାଗ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଭିନ୍ନ ମହଲରୁ ଦାବି ହୋଇଛି ।