ଓଡ଼ିଶା ଲିଡ୍ସ(ଯାଜପୁର): ୫୩ ନମ୍ବର ଜାତୀୟ ରାଜପଥର ଚଣ୍ଡିଖୋଲ ସ୍ଥିତ ହୋଟେଲ ମିଡଇଷ୍ଟରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତ ଦେହକୁ ପୋଲିସ ଉଦ୍ଧାର କରିଛି । ମୃତ ଯୁବକଙ୍କ ଘର ଖୋର୍ଦ୍ଧା ଜିଲ୍ଲା ବାଳକାଟି ଅଞ୍ଚଳରେ ହୋଇଥିଲା ବେଳେ ତାଙ୍କ ନାମ ଆଲିପ ସାହୁ(୩୭) ବୋଲି ଜଣା ଯାଇଛି । ବଡ଼ଚଣା ପୋଲିସ ଏହି ଖବର ପାଇ ହୋଟେଲରେ ପହଞ୍ଚିଥିଲା । ପୋଲିସ ସହିତ ବଡ଼ଚଣାର ଅତିରିକ୍ତ ତହସିଲଦାର ମଧ୍ୟ ପହଞ୍ଚିଥିଲେ । ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ପୋଲିସ ମୃତ ଯୁବକଙ୍କ ପରିବାର ସହିତ ଯୋଗାଯୋଗ କରି ହୋଟେଲ କର୍ମଚାରୀଙ୍କୁ ଅଧିକ ପଚରା ଉଚରା କରୁଛି । ମୃତ ଯୁବକ ଜଣକ ବିବାହିତ ଏବଂ ତାଙ୍କର ଏକ ୭ ବର୍ଷର ପୁତ୍ର ସନ୍ତାନ ରହିଛି ବୋଲି ପରିବାର ଲୋକେ କହିଛନ୍ତି । ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।
