ଓଡ଼ିଶା ଲିଡ୍ସ(ଯାଜପୁର): ଜାତୀୟ ରାଜପଥ ବିଭାଗ ନିମ୍ନମାନର କାମ କରିବାରେ ସବୁ ସୀମା ସରହଦ ଡେଇଁ ଯାଇଛି । କିଭଳି ଠିକାଦାର ଲାଭ ବାନ ହେବେ ଓ ବିଭାଗୀୟ ଅଧିକାରୀଙ୍କ ପକେଟ ଗରମ କରିବେ ସେଥିପାଇଁ ସବୁ ଉଦ୍ୟମ କରୁଛି । ଆଉ ଏହାର ପ୍ରମାଣ ହେଲା ବୁଢା ପୋଲ ନିକଟରୁ ମଲ୍ଲିକାପୁର ରାସ୍ତାର ପିଚୁ କାମ ।
କୁଆଖିଆ-ଯାଜପୁର-ଧାମରା ୨୦ନମ୍ବର ଜାତୀୟ ରାଜପଥ ଅବସ୍ଥା ଶୋଚନୀୟ ହୋଇ ପଡିଛି । ନିକଟରେ ମଲ୍ଲିକାପୁର ଠାରୁ ମାନସାପୋଲ ରାସ୍ତା ମରାମତି ନାମରେ ଅତି ନିମ୍ନମାନର ପିଚୁ କାମ ହୋଇଥିଲା । ସେହି କାମ ଏବେ ମଧ୍ୟ ସମ୍ପୂର୍ଣ୍ଣ ହୋଇ ନାହିଁ । ଗତକାଲି ଲଗାଣ ବର୍ଷା ହେଉଥିଲା ବେଳେ ରାତି ଅନ୍ଧାରରେ ବୁଢା ପୋଲ ଠାରୁ ମଲ୍ଲିକାପୁର ପର୍ଯ୍ୟନ୍ତ ରାସ୍ତାକୁ ପିଚୁ କରାଯାଇଛି । ଏହି ସମୟରେ କୌଣସି ବିଭାଗୀୟ ଅଧିକାରୀ ମଧ୍ୟ କାର୍ଯ୍ୟର ତଦାରଖ କରିବାକୁ ଉପସ୍ଥିତ ନଥିଲେ । ଏହାର ସୁଯୋଗରେ ଠିକାଦାର ଅତ୍ୟନ୍ତ ନିମ୍ନ ମାନର ପିଚୁ କାମ କରିଛନ୍ତି । ରାସ୍ତାରେ କେଉଁଠି ପିଚୁ ପଡ଼ିଛି ତ କେଉଁଠି ପଡ଼ିନାହିଁ । ଯେଉଁଠି ପଡିଛି ସେଠି ସଠିକ ରୋଲିଂ ହୋଇ ନାହିଁ । ଏଭଳି ନିମ୍ନ ମାନର କାର୍ଯ୍ୟକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି । ଲକ୍ଷ ଲକ୍ଷ ଟଙ୍କାର କାର୍ଯ୍ୟକୁ ଅତି ନିମ୍ନମାନର କରି ମୁନାଫା କମାଉଥିବା ଠିକାଦାରଙ୍କୁ କିଏ ସୁରକ୍ଷା ଯୋଗାଉଛି ସେ ନେଇ ଉଚ୍ଚ ଅଧିକାରୀ ତଦନ୍ତ କରିବାକୁ ଦାବି ହେବା ସହିତ ଏହି ବ୍ୟସ୍ତ ବହୁଳ ରାସ୍ତାକୁ ପୁନର୍ବାର ପିଚୁ କରିବାକୁ ଦାବି ହୋଇଛି ।
