ଓଡ଼ିଶା ଲିଡ୍ସ(ବ୍ୟୁରୋ): ରାଜ୍ୟର ଚର୍ଚ୍ଚିତ ଯୁବ ନେତାଙ୍କ ମଧ୍ୟରୁ ଅନ୍ୟତମ ବିଜେଡିର ବରିଷ୍ଠ ସାଧାରଣ ସମ୍ପାଦକ ତଥା ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ । ସାରା ରାଜ୍ୟରେ ଡ୍ୟାନି ନାମରେ ସମସ୍ତଙ୍କ ନିକଟରେ ତାଙ୍କର ରହିଛି ପରିଚୟ । ବିଗତ ୧୬ ମାସ ମଧ୍ୟରେ ଵିରୋଧି ଦଳର ନେତା ଭାବେ ସରକାର, ପ୍ରଶାସନକୁ ଘେରି ବେଶ ଚର୍ଚ୍ଚିତ ହୋଇଛନ୍ତି ଡ୍ୟାନି । ଏବେ ନୂଆପଡା ଉପନିର୍ବାଚନରେ ସକ୍ରିୟ ଭୂମିକା ଗ୍ରହଣ କରୁଛନ୍ତି । ଦଳର ଷ୍ଟାର ପ୍ରଚାରକ ରହିବା ସହିତ ନୂଆପଡା ବ୍ଲକ ଦାୟିତ୍ୱରେ ମଧ୍ୟ ରହିଛନ୍ତି । ନୂଆପଡା ବ୍ଲକରେ ଦଳର ସଙ୍ଗଠନକୁ ମଜବୁତ କରି ଦଳର ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପ୍ରତି ଅଧିକ ସମର୍ଥନ ହାସଲ କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି । ଆଜି ନୂଆପଡ଼ା ବ୍ଲକର ଜୋନ ନଂ-୯ ରତିପାଲି ଠାରେ ଆୟୋଜିତ କର୍ମୀ ସମ୍ମିଳନୀରେ ବରିଷ୍ଠ ନେତାମାନଙ୍କ ସହ ଯୋଗଦେଇଥିଲେ । ନିଜ ବକ୍ତବ୍ୟରେ ଆସନ୍ତା ଉପନିର୍ବାଚନରେ ବିଜେଡି ପାର୍ଥିନୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ଆଶୀର୍ବାଦ କରିବାକୁ ନିବେଦନ କରିବା ସହିତ ନୂଆପଡ଼ାର ସ୍ୱାଭିମାନ ଓ ସମ୍ମାନ କିପରି ଅତୁଟ ରହିବ ସେଥିପାଇଁ ଉଦ୍ୟମ କରିବାକୁ ନିବେଦନ କରିଥିଲେ ।
ବିଜେଡି ସରକାର ସମୟରେ ନୂଆପଦାର ବିକାଶ ସମ୍ଭବ ହୋଇଥିଲା । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆପଡା ପ୍ରତି ବିଶେଷ ଦୃଷ୍ଟି ଦେଉଥିଲେ ବୋଲି କହି କର୍ମୀମାନଙ୍କ ଉତ୍ସାହ, ଲୋକମାନଙ୍କ ଭରସା ଓ ନୂଆପଡ଼ାବାସୀଙ୍କ ଭରପୁର ସମର୍ଥନ ସହିତ ସ୍ନେହାଙ୍ଗିନୀ ଛୁରିଆଙ୍କ ବିଜୟ ନିଶ୍ଚିତ ବୋଲି କହିଥିଲେ । ନୂଆପଡ଼ାର ମା, ମାଟି, ମଣିଷ ଓ ସ୍ୱାଭିମାନ ପାଇଁ ଆମର ଏହି ପ୍ରୟାସ ଜାରି ରହିବ ବୋଲି କହିଛନ୍ତି ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ ।




















