ଓଡ଼ିଶା ଲିଡ୍ସ(ବ୍ୟୁରୋ): ହରିଆଣା ରାଜ୍ୟର ରୋହତକର ମହର୍ଷି ଦୟାନନ୍ଦ ୟୁନିଭରସିଟିରେ ତିନି ଜଣ ସଫେଇ କର୍ମଚାରୀଙ୍କୁ ସେମାନଙ୍କ ସୁପରଭାଇଜରମାନେ ପୋଷାକ ଖୋଲି ଋତୁଶ୍ରାବର ପ୍ରମାଣ ଦେବାକୁ କହିଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ ପିରିୟଡ୍ସ ହୋଇଛି ବୋଲି କହି କର୍ମଚାରୀମାନେ ଛୁଟି ମାଗିବାରୁ ସୁପରଭାଇଜରମାନେ ସେମାନଙ୍କର ଗୁପ୍ତାଙ୍ଗର ଫଟୋ ଉଠାଇବାକୁ ବାଧ୍ୟ କରିଥିଲେ । ଯାହାକୁ ନେଇ ମହିଳା ମାନେ ପ୍ରତିବାଦ କରିଥିଲେ ।
ଚଳିତ ମାସ ୨୬ ତାରିଖରେ ଏହି ଅଭିଯୋଗ ଆସିବା ପରେ ବିଶ୍ୱବିଦ୍ୟାଳୟ କର୍ତୁରପକ୍ଷ ସୁପର୍ଭାଇଜର୍ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ବିଶ୍ୱବିଦ୍ୟାଳୟ ରେଜିଷ୍ଟ୍ରାର କେ.କେ ଗୁପ୍ତା ଏକ ବିବୃତି ଜାରି କରି କହିଛନ୍ତି ଯେ ଅଭିଯୋଗ ପାଇବା ପରେ ଏବେ ସୁଦ୍ଧା ଜଣେ ସୁପରଭାଇଜରଙ୍କୁ ନିଲମ୍ବନ କରାଯାଇଛି। ଘଟଣାର ତଦନ୍ତ କରାଯାଉଛି । ଯିଏ ଦୋଷୀ ସାବ୍ୟସ୍ତ ହେବେ ଆବଶ୍ୟକ ପଡ଼ିଲେ ତାଙ୍କ ବିରୋଧରେ ଏସସି/ଏସଟି ଆଇନ ଅନୁଯାୟୀ ମାମଲା ମଧ୍ୟ ରୁଜୁ କରାଯିବ।




















