ଓଡ଼ିଶା ଲିଡ୍ସ(ସୁକିନ୍ଦା):୫୩ ନମ୍ବର ଜାତୀୟ ରାଜପଥ ସୁକିନ୍ଦା ଭୁବନ ରାସ୍ତାର ବୋତଲଣ୍ଡା ଛକ ନିକଟରେ ଏକ ଦ୍ରୁତଗାମୀ ହାଇୱା ଦୁର୍ଘଟଣାରେ ଜଣେ ସାଇକେଲ ଆରୋହିଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣା ପରେ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବା ସହ ସ୍ଥାନୀୟ ଲୋକେ ରାଜପଥ ଅବରୋଧ କରିଥିଲେ ।
ସୂଚନା ମୁତାବକ ବୋତଲଣ୍ଡା ଗ୍ରାମର ନୟନ ଦେହୁରୀଙ୍କ ପୁଅ ସୁକୁରା ଦେହୁରୀ(୪୦) ସୁକିନ୍ଦା ଖଣି ଅଞ୍ଚଳର ଏକ ଖଣିରେ କାର୍ଯ୍ୟ ସାରି ସନ୍ଧ୍ୟାରେ ସାଇକେଲ ଯୋଗେ ଘରକୁ ଫେରୁଥିବା ସମୟରେ ଛକ ନିକଟରେ ଏକ ଦ୍ରୁତଗାମୀ ହାଇୱା ତାଙ୍କ ଉପରେ ଚଢ଼ି ଯାଇଥିଲା । ଘଟଣାସ୍ଥଳରେ ହିଁ ସୁକୁରାର ମୃତ୍ୟୁ ହୋଇଥିଲା । ସ୍ଥାନୀୟ ଲୋକମାନେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିକରି ମୃତଦେହ ରଖି ରାଜପଥ ଅବରୋଧ କରିଥିଲେ। ଦୀର୍ଘ ଦୁଇ ଘଣ୍ଟା ଧରି ରାସ୍ତା ଅବରୋଧ ହୋଇଥିଲା । ଖବର ପାଇ ସୁକିନ୍ଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ପ୍ରତ୍ୟାହୃତ ହୋଇଥିଲା। ପୋଲିସ ଦୁର୍ଘଟଣା ଘଟାଇଥିବା ଗାଡି ଓ ମୃତଦେହ ଜବତ କରି ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରୀ ରଖିଛି।




















