ଓଡିଶା ଲିଡ୍ସ(ଯାଜପୁର): ଜିଲ୍ଲାର ଦ୍ଵିତୀୟ ପୁରାତନ ତଥା ରାଜ୍ୟର ଅନ୍ୟତମ ପୁରାତନ ମହାବିଦ୍ୟାଳୟ ଗୋପବନ୍ଧୁ ଚୌଧୁରୀ ମହାବିଦ୍ୟାଳୟ ରାସ୍ତା ସମସ୍ୟା ସହିତ ବର୍ଷ ବର୍ଷ ହେଲା ଜୁଝୁଛି । ବିଭିନ୍ନ ସମୟରେ ରାସ୍ତା ସଂପ୍ରସାରଣ ପାଇଁ ଦାବି ହୋଇଥିଲେ ମଧ୍ୟ ଏଥିପ୍ରତି ନା ସ୍ଥାନୀୟ ରାଜନେତା ନା ପ୍ରଶାସନ କେହି ଦୃଷ୍ଟି ଦେଇ ନାହାନ୍ତି । ଏହି ରାସ୍ତା ଉପରେ କେବଳ କଲେଜ ନୁହେଁ ନିକଟସ୍ଥ ସରକାରୀ ବିଦ୍ୟାଳୟ ଓ ଗ୍ରାମବାସୀ ମଧ୍ୟ ନିର୍ଭରଶୀଳ । ବିଭିନ୍ନ ସମୟରେ କଲେଜ ପରିସରରେ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥାଏ । ହେଲେ ରାସ୍ତା ସଂପ୍ରସାରଣ କୁ କେହି ଗୁରୁତ୍ୱ ଦେଇ ନାହାନ୍ତି । ଗତକାଲି ଯାଜପୁର ସାଂସଦ ରବୀନ୍ଦ୍ର ନାରାୟଣ ବେହେରା କଲେଜକୁ ଆସିଥିଲା ବେଳେ ଛାତ୍ରଛାତ୍ରୀ ତାଙ୍କୁ ଲିଖିତ ଭାବେ ରାସ୍ତା ସଂପ୍ରସାରଣ କରିବାକୁ ଦାବି କରିଥିଲେ । ଏ ନେଇ ପଦକ୍ଷେପ ନେବାକୁ ସାଂସଦ ମଧ୍ୟ ପ୍ରତିଶୃତି ଦେଇଛନ୍ତି । ଏ ନେଇ ସାଂସଦ ତୁରନ୍ତ ପଦକ୍ଷେପ ନେବେ ବୋଲି ଛାତ୍ରଛାତ୍ରୀ ଆଶା ବାନ୍ଧିଛନ୍ତି ।




















