ଓଡ଼ିଶା ଲିଡ୍ସ(ଯାଜପୁର): ବିଭିନ୍ନ ଘଟଣାକୁ ନେଇ ଦିନକୁ ଦିନ ବରୀ ଥାନା ନିନ୍ଦିତ ହୋଇ ପଡୁଛି । ପୋଲିସ ଉପରେ ସାଧାରଣ ଲୋକ ଭରସା ଜୁଟାଇ ପାରୁ ନାହାନ୍ତି । ନିକଟରେ ଥାନା ଭିତରେ ଦୁଇ କର୍ମଚାରୀ ପିଟା ପିଟି ହେବା ଓ ଜଣେ କନେଷ୍ଟବଳ ଗୁରୁତର ଆହତ ହେବା ଭଳି ନିନ୍ଦିତ ଓ ଚକିତ ହେଲା ଭଳି ଖବର ସାଧାରଣରେ ଚର୍ଚ୍ଚା ସୃଷ୍ଟି କରିଥିଲା । ଖବର ପ୍ରକାଶ ପରେ ଉଚ୍ଚ ଅଧିକାରୀ ଏ ନେଇ ପଦକ୍ଷେପ ନେଇଛନ୍ତି ।
ହେଲେ ବରୀ ଅଞ୍ଚଳରେ ଦିନକୁଦିନ ଚୋରା ମଦ କାରବାର ବୃଦ୍ଧି ପାଇବାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି । ପୋଲିସ ଚୋରା ମଦ କାରବାର ବିରୁଦ୍ଧରେ ପଦକ୍ଷେପ ନ ନେଇ ନିରବ ବସିବା ଏହି ଚୋରା ମଦ କାରବାରକୁ ବହୁ ଗୁଣା ବଢ଼ାଇ ଦେଇଛି । ପୋଲିସର ନୀରବତା ଫଳରେ ଛକ ବଜାରରେ ଚୋରା ମଦ କାରବାର ବଢି ଚାଲିଛି । କୋଚିଆ ମାନେ ନିର୍ଦ୍ୱନ୍ଦରେ ମଦ ନେଇ ବିଭିନ୍ନ ବେପାରୀଙ୍କୁ ଯୋଗାଇ ଦେଉଛନ୍ତି । ବରୀ ଅଞ୍ଚଳରେ ଥିବା ଦୁଇଟି ମଦ ଦୋକାନ ସମ୍ମୁଖରେ ମଦ୍ୟପ ଦିନ ଠାରୁ ରାତି ପର୍ଯ୍ୟନ୍ତ ଆଡା ଜମାଉଥିଲା ବେଳେ ସବୁ ଦେଖି ପୋଲିସ ନିରବ । ଫଳରେ ସେହି ରାସ୍ତା ଦେଇ ଛାତ୍ରଛାତ୍ରୀ, ମହିଳା ଓ ସାଧାରଣ ଲୋକ ଯିବାକୁ ଭୟ କରୁଛନ୍ତି । ମଦୁଆ ରାସ୍ତା ଉପରେ ମଦ ରଖି ମଦ୍ୟପାନ କରୁଛନ୍ତି । ମଦ୍ୟପାନ କରି ବହୁ ବାଇକ ଚାଳକ ବିପଦପୂର୍ଣ୍ଣ ଭାବେ ଗାଡି ଚାଳନା କରୁଥିଲା ବେଳେ ଏଥିପ୍ରତି ପୋଲିସ ଆଖି ବୁଜି ଦେଇଛି । ପାଟ୍ରୋଲିଂ ନାମରେ ପୋଲିସ ଗାଡିରେ ବସି ବୁଲୁଥିଲା ବେଳେ ଚୋରା ମଦ ବେପାରୀଙ୍କ ପ୍ରତି ଆଖି ବୁଜି ଦେଇଥିବା ବୁଦ୍ଧିଜୀବି ଅଭିଯୋଗ କରିଛନ୍ତି ।




















