ଓଡ଼ିଶା ଲିଡ୍ସ(ବ୍ୟୁରୋ): ବରିଷ୍ଠ ରାଜନେତା ବିଜୟ ମହାପାତ୍ରଙ୍କ ପୁଅ ତଥା ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ ଗତକାଲି ବିଜେଡି ସଭାପତି ନବୀନ ପଟ୍ଟନାୟକ ନିଲମ୍ବିତ କରିଛନ୍ତି । ନିର୍ବାଚିତ ହେବା ପରଠାରୁ ବିଧାନସଭା ଭିତରେ ଓ ବାହାରେ ନିଜର ନିର୍ଭୀକ ଓ ସ୍ପଷ୍ଟବାଦୀ ବକ୍ତବ୍ୟ ପାଇଁ ବେଶ ଚର୍ଚ୍ଚାରେ ରହିଥିଲେ ଅରବିନ୍ଦ । ହେଲେ ତାଙ୍କୁ କାହିଁକି ଦଳରୁ ନିଲମ୍ବିତ କରାଗଲା ସେ ନେଇ ବିଭିନ୍ନ ଚର୍ଚ୍ଚା ହେଉଛି । କିଛି ତଳେ ‘ନବୀନ ମୋ ନେତା, ପାଣ୍ଡିଆନ ନେତା ନୁହନ୍ତି। ମୋର ଯାହା କଥାବାର୍ତ୍ତା ମୁଁ ସିଧା ନବୀନଙ୍କ ସହ ହୁଏ’ ବୋଲି କହିଥିଲେ । ସେ ମଧ୍ୟ କହିଥିଲେ ଶାସକ ଦଳ ଖାଲି କଥା କହିଲେ କ’ଣ ହେବ। ଯଦି କାର୍ଯ୍ୟାନୁଷ୍ଠାନ ନେବାର ଦମ୍ ଅଛି ତ ନିଅ। ଖାଲି ବୟାନବାଜି କଲେ କ’ଣ ହେବ। ‘ଶାସକ ଦଳ ବିଧାୟକ, ମନ୍ତ୍ରୀ କହୁଛନ୍ତି ପୂର୍ବ ସରକାରରେ ଅଫିସରମାନେ ଦୁର୍ନୀତି କରିଥିଲେ। ଯଦି ଅନିୟମିତତା ହୋଇଛି, ତେବେ ମାମଲା କର। କାର୍ଯ୍ୟାନୁଷ୍ଠାନ ନେଇ ଉଦାହରଣ ସୃଷ୍ଟି କର। କିନ୍ତୁ ପାଞ୍ଚ ବର୍ଷ ସରିଯିବ, ଆପଣମାନେ କିଛି କରିବେ ବୋଲି ଲୋକଙ୍କର ବିଶ୍ବାସ ନାହିଁ ବୋଲି ମଧ୍ୟ ସରକାରୀ ଦଳକୁ ପ୍ରଶ୍ନ କରି ଚୁପ କରାଇ ଦେଇଥିଲେ । ତାଙ୍କ ଏହି କଥା ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ହୋଇଥିଲେ ମଧ୍ୟ ବିଜେଡିକୁ ଅଡୁଆରେ ପକାଇଥିବା ଚର୍ଚ୍ଚା ହୋଇଥିଲା । ଏହା ପାଣ୍ଡିଆନଙ୍କୁ ଚିନ୍ତିତ କରିଥିଲା । ସେ ନେଇ ଦଳ ତତ୍କାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ ମଧ୍ୟ ତାଙ୍କ ନିଲମ୍ବନ ପଛରେ ଏହା ପ୍ରମୁଖ କାରଣ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା କରାଯାଉଛି। ଏବେ ବି ପାଣ୍ଡିଆନଙ୍କ ହାକିମାତି ଚାଲିଛି ବିଜେଡିରେ । ହେଲେ ଅରବିନ୍ଦ ସବୁବେଳେ କେବଳ ନବୀନଙ୍କ ପ୍ରତି ଅରବିନ୍ଦଙ୍କ ଅଯାଚିତ ସମର୍ପଣ ଭାବ ପ୍ରକାଶ କରୁଥିଲେ।
ଅନ୍ୟ ଏକ ମହଲରେ ଚର୍ଚ୍ଚା ହେଉଛି ଯେ ଅରବିନ୍ଦଙ୍କ ବାପା ବିଜୟ ମହାପାତ୍ର ଏବେ ବେଶ ସକ୍ରିୟ ହୋଇଛନ୍ତି । ରାଜ୍ୟ ରାଜନୀତିରେ କିଛି ବଡ଼ ରାଜନୈତିକ ପଦକ୍ଷେପ ନେବାକୁ ଅଭିଯାନ ଚଳାଇଛନ୍ତି। ବିଭିନ୍ନ ନେତାଙ୍କ ସହ ଆଲୋଚନା କରୁଛନ୍ତି। ବିଜେଡିର ବହୁ ନେତା ବିଜୟଙ୍କ ସହିତ ସମ୍ପର୍କରେ ଥିବା ଚର୍ଚ୍ଚା ମଧ୍ୟ ହେଉଛି । ଯାହା ନବୀନଙ୍କୁ କ୍ଷୁବ୍ଧ କରିଛି । ଅରବିନ୍ଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ବିଜୟଙ୍କୁ ଚେକ୍ ଦେବାକୁ ଉଦ୍ୟମ କରାଯାଇଛି। ୨୦୦୦ ମସିହାରେ ବିଜୟଙ୍କୁ ବିଜେଡିରୁ ନବୀନ ନିଲମ୍ବନ କରିଥିଲା ବେଳେ ୨୦୨୬ରେ ତାଙ୍କ ପୁଅଙ୍କୁ ନିଲମ୍ବନ କରି ଇତିହାସର ପୁନରାବୃତ୍ତି କରିଛନ୍ତି । ଆଜି ଅରବିନ୍ଦ ନିଜ ନିର୍ବାଚନ ମଣ୍ଡଳୀ ଗସ୍ତ କଲାବେଳେ ତାଙ୍କୁ ବିପୁଳ ସମର୍ଥନ ମିଳିଥିଲା ବେଳେ ଦଳ ନିଷ୍ପତ୍ତିର ପୁନର୍ବିଚାର କରିବାକୁ ଦାବି ହୋଇଛି ।




















