ଓଡ଼ିଶା ଲିଡ୍ସ(ବ୍ୟୁରୋ): ରାଜନୈତିକ ଚାପରେ ଚାପି ହୋଇ ଯାଜପୁର ଜିଲ୍ଲା ପ୍ରଶାସନ ଡିଏମଏଫ କମିଟି ଗଠନ କରିଥିଲା । କମିଟି ଗଠନ ବେଳେ ଡିଏମଏଫ ବିଧି ବ୍ୟବସ୍ଥାକୁ ଦଳି ମକଚି ଦେଇ ଜିଲ୍ଲା ପ୍ରଶାସନ ଯେଉଁ ପଦକ୍ଷେପ ନେଇଥିଲା ତା ଉପରେ ଅଦାଲତି ଛାଟ ବାଜିଛି । ରାଜନୈତିକ ଚାପର ବଶବର୍ତ୍ତୀ ହୋଇ ଖଣି ନଥିବା ସୁକିନ୍ଦା ବ୍ଳକର ତିନି ସରପଞ୍ଚଙ୍କୁ କମିଟିରେ ସାମିଲ କରା ଯାଇଥିଲା । ଏହି ତିନି ପଞ୍ଚାୟତ ହେଲା ପିମ୍ପୁଡିଆ, ହରିପୁର ଓ ଧୂଳିଗଡ଼ । ଏ ନେଇ ୨୦୨୫ ମସିହା ଜୁଲାଇ ମାସ ୨୪ ତାରିଖରେ ପ୍ରକାଶିତ ବିଜ୍ଞପ୍ତିକୁ ରଦ୍ଦ କରିବାକୁ ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି ।
ଏହା ସହିତ ଡିଏମଏଫ ପ୍ରତିଷ୍ଠାନ ନିୟମାବଳୀ, ୨୦୧୫ ନିୟମ ୪(୧)(୪)ପାଳନ କରି କମିଟି ପୁନର୍ଗଠନ ୪ ସପ୍ତାହ ଭିତରେ ଶେଷ କରିବାକୁ ଉନ୍ନୟନ କମିସନର ତଥା ଯୋଜନା ଓ ସଂଯୋଜନା ବିଭାଗ ଅତିରିକ୍ତ ମୁଖ୍ୟ ସଚିବଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଖଣି ନଥିବା ପଞ୍ଚାୟତର ସରପଞ୍ଚଙ୍କୁ କମିଟିରେ ଅନ୍ତର୍ଭୁକ୍ତ କରାଯିବା ନିୟମ ୪ ର ଉଲଂଘନ କରୁଛି ବୋଲି ମଧ୍ୟ ହାଇକୋର୍ଟ କହିଛନ୍ତି । ନୂତନ କମିଟି ଗଠନ ପରେ କାଳିଆପାଣି ସରପଞ୍ଚ ବିକାଶ କୁମାର ପାତ୍ର, ଜିଲ୍ଲା ପରିଷଦ ସଦସ୍ୟା ଜେମା ଚାଖିଙ୍କ ସହିତ ଅନ୍ୟ ସରପଞ୍ଚ ଓ ସମିତି ସଭ୍ୟଙ୍କ ତରଫରୁ ଏହି ଆବେଦନ ଦାୟର ହୋଇଥିଲା । ହାଇକୋର୍ଟଙ୍କ ଏହି ନିଷ୍ପତ୍ତି ପରେ ଏହାକୁ ନେଇ ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ ଖୁସି ପ୍ରକାଶ କରିବା ସହିତ ଖଣି ଅଞ୍ଚଳ ପ୍ରତି ବିଜେପି ସରକାର ଯେଉଁ ଅନ୍ୟାୟ କରିଥିଲେ ଆଜି ତାର ଅବସାନ ଘଟିଛି ବୋଲି କହିବା ସହିତ ଉଚ୍ଚ ନ୍ୟାୟାଳୟ ଖଣି ଅଞ୍ଚଳବାସୀଙ୍କୁ ନ୍ୟାୟ ପ୍ରଦାନ କରିଥିବା କହିଛନ୍ତି । ଏହା ସହିତ ଆଗାମି ଦିନରେ ସୁକିନ୍ଦାରେ ଯେ କୌଣସି ଅନ୍ୟାୟ କାର୍ଯ୍ୟ ବିରୁଦ୍ଧରେ ଆମେ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହେବୁ ବୋଲି ମଧ୍ୟ କହିଛନ୍ତି ।




















