ଓଡ଼ିଶା ଲିଡ୍ସ(ବ୍ୟୁରୋ): ଆମେରିକାର ଆକ୍ରମଣ ପରେ ଇରାନ ୟୁଏଇ, କାତାର ପ୍ରଭୃତି ପଡ଼ୋଶୀ ଦେଶଗୁଡ଼ିକ ଉପରେ ଆକ୍ରମଣ କରୁଛି । ଯାହାକୁ ନେଇ ୟୁଏଇର ରାଷ୍ଟ୍ରପତି ମହମ୍ମଦ ବିନ୍ ଜାୟେଦ ଅଲ୍ ନାହ୍ୟାନ୍ ଇରାନକୁ ସମାଲୋଚନା କରିଛନ୍ତି। ସେ ଇରାନକୁ କହିଛନ୍ତି ଯେ, ଏହାର ଯୁଦ୍ଧ ୟୁଏଇ ପରି ପଡୋଶୀ ଦେଶ ସହିତ ନୁହେଁ। ଉପସାଗରୀୟ ଦେଶଗୁଡ଼ିକ ବିରୋଧରେ ଇରାନର ଆକ୍ରମଣ ଏକ ଭୁଲ ହିସାବ ଥିଲା। ଏହା ଏକ ଗୁରୁତ୍ୱପୂର୍ଣ୍ଣ ସମୟରେ ଇରାନକୁ ବିଚ୍ଛିନ୍ନ କରିଥିଲା।
ଇରାନର ସର୍ବୋଚ୍ଚ ନେତା ଅଲ୍ଲୀ ଖେମିନିଙ୍କୁ ହତ୍ୟା କରିଥିବା ଆମେରିକା ଓ ଇସ୍ରାଏଲର ମିଳିତ ସାମରିକ କାର୍ଯ୍ୟାନୁଷ୍ଠାନ ବିରୋଧରେ ପ୍ରତିଶୋଧ ନେବାକୁ ଇରାନ ସଂଯୁକ୍ତ ଆରବ ଏମିରେଟ୍ସର ଅନେକ ପ୍ରଦେଶକୁ ଟାର୍ଗେଟ୍ କରିବା ପରେ ୟୁଏଇ ଏହି ମନ୍ତବ୍ୟ ଦେଇଛି।
ଶନିବାର ଇରାନର କ୍ଷେପଣାସ୍ତ୍ର ଆବୁଧାବିର ଦକ୍ଷିଣ ଭାଗରେ ଥିବା ଆମେରିକା ଘାଟିକୁ ଧକ୍କା ଦେଇଥିଲା। ଏହା ବ୍ୟତୀତ ଆବୁଧାବିର ଅନ୍ୟାନ୍ୟ ଅଞ୍ଚଳ ମଧ୍ୟ ସେହି ଦିନ ଇରାନର କ୍ଷେପଣାସ୍ତ୍ର ଆକ୍ରମଣରେ ପ୍ରଭାବିତ ହୋଇଥିଲା । ଆକ୍ରମଣ ଫଳରେ ଐତିହାସିକ ବୁର୍ଜ ଅଲ ଆରବ ହୋଟେଲ ଗୁରୁତର କ୍ଷତିଗ୍ରସ୍ତ ହୋଇଛି। କେବଳ ୟୁଏଇ ନୁହେଁ, ଅନ୍ୟ କେତେକ ଉପସାଗରୀୟ ଦେଶ ମଧ୍ୟ ଇରାନର କ୍ଷେପଣାସ୍ତ୍ର ମାଡ଼ର ଶିକାର ହୋଇଥିଲେ।
ଇସଲାମିକ୍ ରିପବ୍ଲିକ ଉପରେ ଆମେରିକା ଏବଂ ଇସ୍ରାଏଲର ଆକ୍ରମଣର ଜବାବରେ ପଡୋଶୀ ଗଲ୍ଫ ଦେଶଗୁଡିକ ଉପରେ ଇରାନ ଦାଉ ସାଧିବା ବୁଦ୍ଧିମାନର କାର୍ଯ୍ୟ ନୁହେଁ ବୋଲି ୟୁଏଇ ରାଷ୍ଟ୍ରପତି କହିଛନ୍ତି।



















