ଓଡ଼ିଶା ଲିଡ୍ସ(ବ୍ୟୁରୋ): ଇରାନ ବିରୁଦ୍ଧରେ ଯୁଦ୍ଧ ହେବାର ପ୍ରାୟ ଗୋଟିଏ ମାସ ଅତିକ୍ରାନ୍ତ ହୋଇଛି । ଉଭୟ ପକ୍ଷ ପଛକୁ ହଟିବାର ଦେଖା ଯାଉନାହିଁ । ଭାରତର କାଶ୍ମୀର ଉପତ୍ୟକାରେ ଇରାନକୁ ଦାନ ଦେବା ପାଇଁ ଏକ ପ୍ରକାର ପ୍ରତିଯୋଗିତା ଆରମ୍ଭ ହୋଇଛି । ଲୋକମାନେ ନିଜ ଘରୁ ମୂଲ୍ୟବାନ ବସ୍ତୁ ଆଣି ଦାନ ଦେଉଛନ୍ତି । ଇରାନକୁ କାଶ୍ମୀର ଲୋକଙ୍କ ଏଭଳି ସମର୍ଥନ ଗୁଇନ୍ଦା ସଂସ୍ଥାଗୁଡ଼ିକୁ ମଧ୍ୟ ଚିନ୍ତାରେ ପକାଇ ଦେଇଛି ।
ସରକାରୀ ଆକଳନ ଅନୁଯାୟୀ କାଶ୍ମୀରରେ ଇରାନ ପାଇଁ ଏପର୍ଯ୍ୟନ୍ତ ୧୭.୯୧ କୋଟି ଟଙ୍କା ସଂଗ୍ରହ କରାଯାଇଛି । ଏହି ଟଙ୍କା ଜକାତ ଏବଂ ସଦକା ଭଳି ଧାର୍ମିକ ଦାୟିତ୍ୱର ଅଂଶ ଭାବରେ ଦିଆଯାଉଛି । ଦାନ ଦେଉଥିବା ଦାତାଙ୍କ ମଧ୍ୟରୁ ୮୫% ସିଆ ସମ୍ପ୍ରଦାୟର ବୋଲି ମଧ୍ୟ ଜଣାଯାଇଛି । ଏହି ଦାନର ସର୍ବାଧିକ ପରିମାଣର ୯.୫ କୋଟି ଟଙ୍କା କେବଳ ବଡଗାମ୍ ଜିଲ୍ଲାରୁ ଆଦାୟ ହୋଇଥିବା ଜଣାଯାଇଛି । ଇରାନ ପାଇଁ କାଶ୍ମୀରବାସୀ ଦାନର ବନ୍ୟା ସୃଷ୍ଟି କରିଛନ୍ତି । ଯାହା ଦେଖି ସମସ୍ତଙ୍କୁ ଚକିତ କରିଛି । ଏହି ଦାନକୁ ଦୃଷ୍ଟିରେ ରଖି ଇରାନୀ ଦୂତାବାସ ଏକ ନୂଆ ବ୍ୟାଙ୍କ୍ ଆକାଉଣ୍ଟ ଏବଂ ୟୁପିଆଇ ନମ୍ବର ଜାରି କରିଛି ।
ଆଗାମୀ ଦିନରେ ଏହି ଦାନର ପରିମାଣ ଆହୁରି ବୃଦ୍ଧି ପାଇବାର ଆଶା କରାଯାଉଛି । ତେବେ ସାମ୍ନାକୁ ଯେଉଁ ଫଟୋ ଏବଂ ଭିଡିଓ ଆସୁଛି ସେଥିରୁ ଏତିକି ସ୍ପଷ୍ଟ ହେଉଛି ଯେ ଅଧିକାଂଶ କାଶ୍ମୀର ଲୋକ ହୃଦୟର ସହିତ ମନଖୋଲା ଦାନ କରୁଛନ୍ତି । ବଡ଼ କଥା ହେଲା ଲୋକ ସୁନା, ରୁପା, ତମ୍ବା ପାତ୍ର ଏବଂ ଗୋରୁଗାଈ ମଧ୍ୟ ଦାନ କରୁଛନ୍ତି । ଯାହାକୁ ସମ୍ଭାଳିବା ଏବଂ ଏହାର ହିସାବ ରଖିବା ଅତ୍ୟନ୍ତ କଷ୍ଟକର ହେଉଛି ।




















