ଅବକାରୀ, ପୋଲିସ ବିଭାଗ ନିରବ, ଟାର୍ଗେଟରେ ଯୁବ ଗୋଷ୍ଠି
ଓଡ଼ିଶା ଲିଡ୍ସ(ଯାଜପୁର): ଯାଜପୁର ଜିଲ୍ଲାର କୋଣ ଅନୁକୋଣରେ ଏବେ ନିଶା ବେପାର ବଢି ଚାଲିଛି । ନିଶା ବେପାରୀ ଏବେ ଯୁବ ଗୋଷ୍ଠିକୁ ଟାର୍ଗେଟ କରିଛନ୍ତି । ଅଧିକରୁ ଅଧିକ ଯୁବକ ନିଶାଗ୍ରସ୍ତ ହେଲେ ନିଶା ବେପାରୀ ନିଜ ବ୍ୟବସାୟ ସାମ୍ରାଜ୍ୟ ବଢ଼ାଇବା ସହିତ ଅଧିକ ଲାଭବାନ ହେବେ । ହେଲେ ଚିନ୍ତାର ବିଷୟ ଚୋରା ନିଶା କାରବାର ରୋକିବାର ଦାୟିତ୍ୱ ନେଇଥିବା ଅବକାରୀ ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବଦଳରେ ନିଶା ହେପାରୀଙ୍କୁ ନିରବ ସମର୍ଥନ ଦେଉଛି । ଯାହା ନିଶା ବେପାରୀଙ୍କୁ ଅଧିକ ଉତ୍ସାହିତ କରୁଛି । କେବଳ ମଦରେ ଆଉ ନିଶା ବେପାର ସୀମିତ ହୋଇ ରହିନାହିଁ । ମାରାତ୍ମକ ବ୍ରାଉନସୁଗାର, ଚୋରା ଦେଶୀମଦ, ଗଞ୍ଜେଇ, ହିରୋଇନ୍ ଓ ଚରସ ଭଳି ନିଶାଦ୍ରବ୍ୟ ସହର ଠାରୁ ନେଇ ଗାଁ ପର୍ଯ୍ୟନ୍ତ ଗଳିକନ୍ଦିରେ ପ୍ରଚୁର ପରିମାଣରେ ମିଳୁଛି। ସଞ୍ଜ ନଇଁଲେ ବିଭିନ୍ନ ପରିତ୍ୟକ୍ତ ଘର ଓ ଅନ୍ଧାରିଆ ସ୍ଥାନ ଗୁଡିକ ନିଶାଡିଙ୍କ ଆଡ୍ଡାସ୍ଥଳୀ ପାଲଟି ଯାଇଛି । ସାଧାରଣ ଲୋକେ ସବୁ ଦେଖୁଥିଲା ବେଳେ ଏମାନଙ୍କୁ ବିରୋଧ କରିବାର ସାହାସ ଜୁଟାଇ ପାରୁ ନାହାନ୍ତି । ନିଶା ଶକ୍ତ ଯୁବକ ମାନେ ଆଶ୍ରାବ୍ୟ ଭାଷାରେ ଗାଳି ଗୁଲଜ କରିବା ସହିତ ଆକ୍ରମଣ ମଧ୍ୟ କରିବାକୁ ପଛାଉ ନାହାନ୍ତ । ବିଶେଷ କରି ଯାଜପୁର ଟାଉନ ଓ ବ୍ୟାସନଗର ସହରାଞ୍ଚଳ ଉପରେ ନିଶା ବେପାରୀ ଅଧିକ ଗୁରୁତ୍ୱ ଦେଉଛନ୍ତି । ବାଲେଶ୍ଵରରୁ ପୁରୀ ପର୍ଯ୍ୟନ୍ତ ଲମ୍ବିଥିବା ନିଶା କାରବାରର କରିଡରର ମଧ୍ୟସ୍ଥଳ ହେଉଛି ବ୍ୟାସନଗର । ବିଶେଷ କରି ଟ୍ରେନ ଯୋଗେ ଏହି ନିଶା ଦ୍ରବ୍ୟ ଚାଲାଣ ହେଉଥିବା ଆଲୋଚନା ହେଉଛି । ବ୍ୟାସନଗରରୁ ଜିଲ୍ଲାର ବିଭିନ୍ନ ସ୍ଥାନକୁ ଏହା ଅତ୍ୟନ୍ତ ଯୋଜନା ବଦ୍ଧ ଭାବେ ଚାଲାଣ ହେଉଛି । ଯାଜପୁର ଟାଉନ ଓ ବ୍ୟାସନଗରରେ ବିଭିନ୍ନ ଶିକ୍ଷାନୁଷ୍ଠାନ ଥିଲା ବେଳେ ଜିଲ୍ଲା ତଥା ଜିଲ୍ଲା ବାହାରର ପିଲା ଏଠାରେ ରହି ପାଠ ପଢୁଛନ୍ତି । ପିଲାମାନେ ବିଶେଷ କରି ବିଭିନ୍ନ ମେସରେ ରହି ପଢୁଥିବାରୁ ଏମାନଙ୍କୁ ଟାର୍ଗେଟ କରୁଛନ୍ତି ନିଶା ବେପାରୀ । ବିଶେଷ କରି ବିଭିନ୍ନ କଲେଜ ନିକଟରେ ଥିବା ପାନ ଦୋକାନ ଗୁଡିକରେ ନିଶା ଦ୍ରବ୍ୟ ବିକ୍ରୟ ହେଉଛି । ସିଗାରେଟ ନାମରେ ଗଞ୍ଜେଇ ସିଗାରେଟ ବିକ୍ରି ହେଉଛି । ଯୁବଗୋଷ୍ଠୀ ନିଶା ବେପାରୀଙ୍କ ମାୟାଜାଲରେ ଫସି ପଥଭ୍ରଷ୍ଟ ହେଉଛନ୍ତି। ନିଶାଗ୍ରସ୍ତ ହେବାରୁ ବହୁ ଯୁବକ ବିଭିନ୍ନ ଅନୈତିକ କାର୍ଯ୍ୟରେ ଲିପ୍ତ ରହୁଛନ୍ତି । ନିଶା ଖାଇବାକୁ ଯୁବ ଗୋଷ୍ଠି ଚୋରି, ଡକାୟତି, ରାହାଜାନୀ କାର୍ଯ୍ୟରେ ଲିପ୍ତ ରହୁଛନ୍ତି । ନିଶା ଗ୍ରସ୍ତ ଯୁବକ ମାନଙ୍କ ପାଇଁ ବିଭିନ୍ନ ପରିବାରରେ ଅଶାନ୍ତିର ଝଡ଼ ବହୁଛି । ବିଭିନ୍ନ ସମୟରେ ଅବକାରୀ ବିଭାଗ ନାମକୁ ମାତ୍ର କେତେଜଣ ବେପାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରୁଥିଲା ବେଳେ ବେଲରେ ଆସି ପୁଣି ନିଜ ବ୍ୟବସାୟ ଚଳାଉଛନ୍ତି ନିଶା ବେପାରୀ । ଅବକାରୀ ବିଭାଗ ସହିତ ପୋଲିସ ବିଭାଗ ନିଶା କାରବାର ରୋକିବାକୁ ଯେତିକି ତତ୍ପର ହେବା କଥା, ସେତିକି ହେଉନାହିଁ। ଏହା ପଛରେ କି କାରଣ ଅଛି ତାକୁ ନେଇ ଜିଲ୍ଲାବାସୀ ପ୍ରଶ୍ନ କରିଛନ୍ତି । ଚୋରା ନିଶା କାରବାର ରୋକିବାରେ ଅବକାରୀ ଗୁଇନ୍ଦା ବିଭାଗ ମଧ୍ୟ ଫେଲ ମାରିଛି । ଗୁଇନ୍ଦା ବିଭାଗ କିଭଳି ଚୋରା ନିଶା ବେପାରୀଙ୍କ ବିଷୟରେ ଜାଣି ପାରୁନାହିଁ ତାହା ମଧ୍ୟ ସମସ୍ତଙ୍କୁ ଚକିତ କରୁଛି । ଯେଉଁ ମାନେ ଏହି ମାରାତ୍ମକ ନିଶା କାରବାର କରୁଛନ୍ତି ସେମାନଙ୍କ ବିରୁଦ୍ଧରେ ଅବକାରୀ ବିଭାଗ ଓ ପୋଲିସ କେବେ ପଦକ୍ଷେପ ନେବ ତାକୁ ଅପେକ୍ଷା ।




















