ନାବାଳିକା ଦୁଷ୍କର୍ମକାରୀକୁ ଫାଶୀ ଦଣ୍ଡ
ଓଡ଼ିଶା ଲିଡ୍ସ(ବ୍ୟୁରୋ): ଅନୁଗୁଳ ପୋକସୋ କୋର୍ଟ ଜଣେ ୫ ବର୍ଷର ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ ପ୍ରଦାନ କରିଛନ୍ତି । ଜରପଡ଼ା ଥାନା ଜେରେଙ୍ଗ ଦେହୁରୀ ସାହିର ବାବୁଲା ଜେନା(୪୦)କୁ ଏହି ଦଣ୍ଡାଦେଶ ହୋଇଛି । ମାମଲାର ବିବରଣୀ ଅନୁଯାୟୀ, ଗତବର୍ଷ ୨୦୨୫ ମାର୍ଚ୍ଚ ୧୩ ତାରିଖରେ ଅନୁଗୁଳ ନିଶା ଶିଳ୍ପାଞ୍ଚଳ ଥାନା ଅଞ୍ଚଳରୁ ଜଣେ ୫ ବର୍ଷର ନାବାଳିକା ନିଖୋଜ ହୋଇ ଯାଇଥିଲେ। ଘଟଣାର ଦୁଇଦିନ ପରେ ଅର୍ଥାତ ମାର୍ଚ୍ଚ ୧୫ ତାରିଖରେ ନାବାଳିକାଙ୍କ କ୍ଷତାକ୍ତ ମୃତଦେହ ଘରପାଖରେ ଥିବା ଏକ ମହୁଲ ବଣରୁ ମିଳିଥିଲା। ପାରିପାର୍ଶ୍ବିକ ସ୍ଥିତିରୁ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ପୋଲିସ ସନ୍ଦେହ କରିଥିଲା । ନାବାଳିକାଙ୍କ ଘର ପାଖରେ ରହୁଥିବା ଜେରେଙ୍ଗ ଦେହୁରୀ ସାହିର ବାବୁଲା ଜେନା ଉପରେ ପୋଲିସର ସନ୍ଦେହ ହୋଇଥିଲା । ଫଳରେ ପୋଲିସ ତାକୁ ଉଠାଇ ନେଇ ପଚରା ଉଚୁରା କରିଥିଲା । ଯାଞ୍ଚ ସମୟରେ ତା’ ଘରୁ ରକ୍ତଭିଜା କପଡ଼ା ମଧ୍ୟ ମିଳିଥିଲା । ପୋଲିସ ନିକଟରେ ବାବୁଲା ନିଜ ଦୋଷ ସ୍ବୀକାର କରିବା ସହ ଦୁଷ୍କର୍ମ ପରେ ନାବାଳିକାଙ୍କୁ ହତ୍ୟା କରିଥିବା କଥା ପ୍ରକାଶ କରିଥିଲା । ଅନୁଗୁଳ ଏସ୍ପି ରାହୁଲ ଜୈନଙ୍କ ତତ୍ତ୍ବାବଧାନରେ ଡିଏସ୍ପି ଯୋଗେଶ୍ବରୀ ବେହେରା ଓ ପୁଲିସର ସ୍ବତନ୍ତ୍ର ଟିମ୍ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାର ଅଭିଯୁକ୍ତ ବିରୋଧରେ କୋର୍ଟରେ ପ୍ରମାଣ ଦାଖଲ କରିଥିଲେ।
ଅଭିଯୁକ୍ତ ଘରୁ ମିଳିଥିବା ରକ୍ତ ନମୁନାର ଡିଏନ୍ଏ ରିପୋର୍ଟ, ଫରେନ୍ସିକ୍ ତଥ୍ୟ, ୩୨ ଜଣ ସାକ୍ଷୀଙ୍କ ବୟାନ ତଥା ଅନ୍ୟ ପ୍ରମାଣକୁ ଭିତ୍ତି କରି ଅନୁଗୁଳ ଅତିରିକ୍ତ ଜିଲ୍ଲା ଜଜ୍ ତଥା ସ୍ୱତନ୍ତ୍ର ପୋକ୍ସୋ କୋର୍ଟର ବିଚାରପତି ସୌମ୍ୟା ଶୁଭଦର୍ଶିନୀ ଏଭଳି କଠୋର ଦଣ୍ଡ ଶୁଣାଇଛନ୍ତି। ବିଭିନ୍ନ ଧାରା ଅନୁଯାୟୀ ବାବୁଲାକୁ ଦୋଷୀ ସାବ୍ୟସ୍ତ କରାଯାଇଛି। ଏହି ମାମଲାକୁ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ଦିଲୀପ ଦାସ ପରିଚାଳନା କରୁଥିଲେ। ରାୟକୁ ପୀଡ଼ିତାଙ୍କ ପରିବାର ସ୍ବାଗତ କରିଛନ୍ତି। ଅପରପକ୍ଷରେ ଏହି ରାୟ ବିରୋଧରେ ଉପର କୋର୍ଟରେ ଆବେଦନ କରିବ ବୋଲି କହିଛି ବାବୁଲା।




















