ଓଡ଼ିଶା ଲିଡ୍ସ(ଯାଜପୁର): ଓଡ଼ିଶା ସ୍କୁଲ୍ କଲେଜ ଶିକ୍ଷକ କର୍ମଚାରୀ ସମନ୍ଵୟ ସମିତି, ଯାଜପୁର ଜିଲ୍ଲା ଶାଖା ପକ୍ଷରୁ ଶୁକ୍ରବାର ବିଭିନ୍ନ ଦାବୀର ସମାଧାନ ପାଇଁ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଓ ପ୍ରତିବାଦ ସଭା ଆୟୋଜିତ ହୋଇ ଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ, ଆଇନ୍ ମନ୍ତ୍ରୀ, ଉଚ୍ଚଶିକ୍ଷାମନ୍ତ୍ରୀ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଏବଂ ମୁଖ୍ୟ ଶାସନ ସଚିବଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ଶିକ୍ଷାଧକାରୀଙ୍କ ଜରିଆରେ ଦାବୀପତ୍ର ପ୍ରଦାନ କରାଯାଇଛି ।

ଦିବା ୧୦ ଘଟିକା ସମୟରେ ସମନ୍ବୟ ସମିତିର ଆବାହକ ତଥା ଜିଲ୍ଲା ଓଷ୍ଟା ସମ୍ପାଦକ ପବିତ୍ର କୁମାର ପଣ୍ଡାଙ୍କ ନେତୃତ୍ୱରେ ଏକ ହଜାରରୁ ଉର୍ଦ୍ଧ୍ଵ କର୍ମଚାରୀ ଏକ ପଟୁଆରରେ କିଆନାଳୀ ସ୍ଥିତ ଭେଷଜ ମହାବିଦ୍ୟାଳୟ ନିକଟରୁ ବାହାରି ଗନ୍ଧୀ ଛକ, ଜିଲ୍ଲା ସ୍କୁଲ୍ ଓ ତାରାମଦନ ସ୍ଥିତ ଶିକ୍ଷକ ଭବନ ମାର୍ଗଦେଇ ଜିଲ୍ଲା ଶିକ୍ଷାଧୀକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ । ସେଠାରେ ଜିଲ୍ଲା ଓଷ୍ଟା ସଭାପତି ସୁନନ୍ଦ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ସଭାରେ ଯୋଗଦେଇଥିବା ଶିକ୍ଷକ ନେତାମାନଙ୍କ ମଧ୍ୟରେ ପୂର୍ବତନ ଜିଲ୍ଲା ଓଷ୍ଟା ସମ୍ପାଦକ ବିଷ୍ଣୁ ଚରଣ ସାହୁ, ଡଃ. ନୃସିଂହ ଚରଣ ବେହେରା, ଅମୂଲ୍ୟ ଦାସ, ରବି ଶତପଥୀ, ଶିକ୍ଷକ ମହାସଂଘର ସଭାପତି ଧନଞ୍ଜୟ କେଶରୀ ରାଉତରାୟ, ଜିଲ୍ଲା ଓଷ୍ଟାର ପୂର୍ବତନ ସଭାପତି ସନ୍ତୋଷ ବିଶ୍ଵାଳ, ଓଷ୍ଟା ରାଜ୍ୟ କାର୍ଯ୍ୟକାରିଣୀ ପ୍ରାକ୍ତନ ସଦସ୍ୟ ଅଜୟ କୁମାର ପଣ୍ଡା, ପୀତାମ୍ବର ସ୍ଵାଇଁ, ସୁବାସ ଚନ୍ଦ୍ର ପ୍ରଧାନ, ୧୦ ଗୋଟି ବ୍ଲକ୍ ଓଷ୍ଟା ସମ୍ପାଦକ ସଞ୍ଜୟ କୁମାର ସାହୁ, ଦିବ୍ୟଲୋଚନ ମହାପାତ୍ର, ସରୋଜ କୁମାର ରାଉତ, ଦିଲ୍ଲୀପ କୁମାର ଦାସ, ଅମୂଲ୍ୟ ନାୟକ, ଜ୍ୟୋତି କୃଷ୍ଣ ସାହୁ, ସତ୍ୟବାଦୀ ପଣ୍ଡା, ତାରିଣୀ ଶଙ୍କର ମହାପାତ୍ର, ସନ୍ତୋଷ କୁମାର ମିଶ୍ର, କୈଳାସ ଚନ୍ଦ୍ର ସେଠୀ ପ୍ରମୁଖ ନିଜ ନିଜ ବକ୍ତବ୍ୟରେ ସରକାରଙ୍କ ଶିକ୍ଷାମାରଣ ନୀତିକୁ ତୀବ୍ର ସମାଲୋଚନା କରିଥିଲେ I ସମନ୍ବୟ ସମିତିର ବିଭିନ୍ନ ସହଭାଗୀ ସଂଗଠନ ୬୬୨ ବର୍ଗର ସଂପାଦକ ତ୍ରିଲୋଚନ ପଣ୍ଡା, ଅବସରପ୍ରାପ୍ତ ଶିକ୍ଷକ ସଂଗଠନର ସଭାପତି ମଦନ ମୋହନ ସାହୁ, ସଂସ୍କୃତ ଟୋଲ୍ ସଂଗଠନର ସଂପାଦକ ନବକୁମାର ପଣ୍ଡା, ମଦ୍ରାସା ସଂଗଠନର ସଂପାଦକ କୁନେଦ୍ ଅଖତର, ଏନ.ପି.ଏସ ସଂଘର ଚିନ୍ମୟ କୁମାର ରଥ, ସୁଭ୍ରାଂଶୁ ଭୂଷଣ ନାୟକ, ସ୍ଵୟଂପ୍ରଭା ସାହୁ, ରତିକାନ୍ତ ନାୟକ, ରାଜ୍ୟ ଓଷ୍ଟାର ଯୁଗ୍ମ ସାଧାରଣ ସଂପାଦକ ବ୍ରଜ କିଶୋର ବିଶ୍ୱାଳ, ଅନ୍ୟତମ ‘ସଂପାଦକ ନିର୍ମଳ ଚନ୍ଦ୍ର ଜେନା, ଜିଲ୍ଲା ଓଷ୍ଟାର ଉପସଭାପତି ଶ୍ରଦ୍ଧାଞ୍ଜଳି ବିଶ୍ବାଳ, ଯୁଗ୍ମ ସଂପାଦକ ରାଜକିଶୋର ପରିଡ଼ା, ମମତା ମିଶ୍ର, ବିଶ୍ୱନାଥ ସାହୁ, ବିଷ୍ଣୁ ଚରଣ ନାଥ, ଅନିଲ ରାୟ, ଆର୍ଯ୍ୟ ନାରାୟଣ ପଣ୍ଡା, ରାଜକିଶୋର ପୋଥାଳ, ରବିନ୍ଦ୍ର ଓଝା, ସାରଦାକାନ୍ତ ମହାପାତ୍ର, ଅମୀୟ କୁମାର ଜେନା, ମାନସ ରଂଜନ ସ୍ୱାଇଁ, ୧୦ଟି ବ୍ଲକ୍ ସଂଗଠନର କର୍ମକର୍ତ୍ତା ଗଣ ଭକ୍ତ ପ୍ରତିବାଦ ସଭାରେ ଯୋଗଦେଇ ରାଜ୍ୟର ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥାର କଠୋର ସମାଲୋଚନା କରିଥିଲେ । ୧୯୯୪ ଅନୁଦାନ ନୀତିରେ ଯୋଗ୍ୟ ବିବେଚିତ ଶିକ୍ଷାନୁଷ୍ଠାନଗୁଡ଼ିକୁ ମାନ୍ୟବର ସର୍ବୋଚ୍ଚ ଓ ଉଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶ ସତ୍ତ୍ବେ ଅନୁଦାନ ନ ଦେଇ ଦୀର୍ଘବର୍ଷ ଧରି ଶିକ୍ଷକ କର୍ମଚାରୀଙ୍କ ପ୍ରତି ଘୋର ଅନ୍ୟାୟ କରାଯାଇଛି ବୋଲି ନେତୃଗଣ ମତ ଦେଇଥିଲେ । ନୂତନ ଅନୁଦାନ ନୀତି ୨୦୦୪ର ତ୍ରୁଟିପୂର୍ଣ ବ୍ଲକ୍ ଗ୍ରାଣ୍ଟ ବ୍ୟବସ୍ଥା ପ୍ରଚଳନ କରି ଶିକ୍ଷକ କର୍ମଚାରୀମାନଙ୍କୁ ଶୋଷଣ କରାଯାଇଛି । ସମାନ କାମକୁ ସମାନ ଦରମା ନୀତି, ଚାକିରି ସର୍ଭାବଳୀ ନରଖିବା ସହ ଅନ୍ୟାନ୍ୟ ଅବସରକାଳୀନ ସୁବିଧା ସୁଯୋଗ ବିନା ହଜାର ହଜାର ଶିକ୍ଷକ କର୍ମଚାରୀ ଅବସର ପରେ ଦୟନୀୟ ଓ ଅସହାୟ ଜୀବନ ଅତିବାହିତ କରି ରୋଗଗ୍ରସ୍ତ ହେବା ସଂଗେ ସଂଗେ ଅସମୟରେ ମୃତ୍ୟୁବରଣ କରୁଛନ୍ତି । ଶୂନ୍ୟଥିବା ପଦବୀ ସଂଖ୍ୟା କ୍ରମଶଃ ବୃଦ୍ଧି ପାଉଥିବା ବେଳେ କୌଣସି ନିଯୁକ୍ତି ସମ୍ବନ୍ଧୀୟ ନୀତି ନିର୍ଦ୍ଧାରଣ ହୋଇନଥିବାରୁ ଉକ୍ତ ବର୍ଗର ବିଦ୍ୟାଳୟ ଗୁଡ଼ିକ ଶିକ୍ଷକ ଶୂନ୍ୟ ହେବାରେ ଲାଗିଛି । ଏପରିକି ଏହିସବୁ ଶିକ୍ଷାନୁଷ୍ଠାନ ଗୁଡ଼ିକ ବନ୍ଦ ହେବା ଆଶଙ୍କା ସୃଷ୍ଟି ହୋଇଛି । ଶିକ୍ଷକ ନଥିବାରୁ ପିଲାମାନେ ମଧ୍ୟାହ୍ନ ଭୋଜନ ଖାଇ ଘରକୁ ଫେରୁଛନ୍ତି ? ଅବସର ବୟସ ୬୦ ରୁ ୬୨ ବର୍ଷକୁ ବୃଦ୍ଧି କରାଗଲେ ଏ ସମସ୍ୟାର ସାମୟିକଭାବେ ସମାଧାନ କରାଯାଇପାରନ୍ତା ବୋଲି ମତ ପ୍ରକାଶ ପାଇଥିଲା । ୯୦ ଦଶକ ପୂର୍ବରୁ ଜନସାଧାରଣ ଚାନ୍ଦାକରି ସ୍ଥାପନ କରିଥିବା ଉକ୍ତ ଅନୁଷ୍ଠାନ ଗୁଡ଼ିକର ସ୍ଥିତି ସୁଧାରିବାକୁ ହେଲେ, ସରକାରୀକରଣ ନିତାନ୍ତ ଆବଶ୍ୟକ I ଯୋଗ୍ୟ ବିବେଚିତ ୧୯୪ ସ୍କୁଲ ସହିତ ସଂସ୍କୃତ ଟୋଲ, ମଦ୍ରାସା ଗୁଡ଼ିକୁ ଅନୁଦାନ ପରିସରଭୁକ୍ତ କରାଯାଉନାହିଁ । ଚୁକ୍ତି ଭିତ୍ତିକ ଶିକ୍ଷକମାନଙ୍କ ଠିକା କାର୍ଯ୍ୟକାଳକୁ ମୂଳ ଚାକିରିରେ ଗଣନା କରାଯାଇ ୬ଟି ନୋସ୍ନାଲ୍ ଇନ୍କ୍ରିମେଣ୍ଟ ପ୍ରଦାନ ବ୍ୟବସ୍ଥା କରାଯିବାକୁ ଶିକ୍ଷକମାନେ ଦାବୀ ଉପସ୍ଥାନ କରିଛନ୍ତି I ସମନ୍ବୟ ସମିତି ଆବାହକ ତଥା ଜିଲ୍ଲା ଓଷ୍ଟାର ସଂପାଦକ ବିତ୍ର କୁମାର ପଣ୍ଡା ଉକ୍ତ ସମସ୍ୟାଗୁଡ଼ିକର ତୁରନ୍ତ ସମାଧାନ ପାଇଁ ସରକାର ପଦକ୍ଷେ ଗ୍ରହଣ ନ କଲେ ଉକ୍ତ ଦୋଳନ ଗ୍ରାମ୍ୟ ସ୍ତରରୁ ନେଇ ରାଜ୍ୟ ପର୍ଯ୍ୟନ୍ତ କରାଯାଇ ଲୋକଙ୍କ ସରକାର ବୋଲି ଡିଣ୍ଡିମ ପିଟୁଥୁବା ନେତା, ମନ୍ତ୍ରୀମାନଙ୍କର ମୁଖା ଖୋଲି ଦିଆଯିବ ବୋଲି ଚେତାବନୀ ଦେଇଥିଲେ । ଶେଷରେ ଜିଲ୍ଲା ଓଷ୍ଟା କାର୍ଯ୍ୟକାରୀ ସଭାପତି ଜ୍ଞାନରଞ୍ଜନ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ।




















