ଓଡ଼ିଶା ଲିଡ୍ସ(ଯାଜପୁର): ଓଡ଼ିଶାର ଲଘୁଖଣିଜ ସମ୍ପଦର ଉତ୍ତୋଳନ ଓ ପରିଚାଳନାକୁ ନେଇ ଗୁରୁତର ପ୍ରଶ୍ନ ଉଠିଛି । ଲଘୁଖଣିଜ କାରବାରରେ ରାଜ୍ୟ ପ୍ରାୟ ୨୦୦୦ କୋଟି ଟଙ୍କାର ରାଜସ୍ୱ ହରାଇବେ ବୋଲି ଚେତାବନୀ ଦେଇଛନ୍ତି ବିଜେଡିର ବରିଷ୍ଠ ସାଧାରଣ ସମ୍ପାଦକ ତଥା ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ । ରାଜ୍ୟ ସରକାରଙ୍କ ନୂଆ ନିୟମ ଫଳରେ ଆଗାମୀ ଦିନରେ ଲଘୁଖଣିଜ ପଦାର୍ଥ ନିଲାମକୁ ନେଇ ବ୍ୟାପକ ଅନିୟମିତତା ହେବାକୁ ଯାଉଥିବା ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ ଆଶଙ୍କା କରିଛନ୍ତି । ଲଘୁଖଣିଜ ପଦାର୍ଥ ରାଜ୍ୟର ଏକ ମୂଲ୍ୟବାନ ପ୍ରାକୃତିକ ସମ୍ପଦ ହୋଇଥିବାବେଳେ ଏହାର ଉତ୍ତୋଳନ, ଲିଜ୍ ପ୍ରଦାନ, ରାଜସ୍ୱ ଆଦାୟ ଓ ପରିଚାଳନାରେ ସ୍ୱଚ୍ଛତା ରହିବା ଆବଶ୍ୟକ ବୋଲି ଇଂ ଘଡାଇ ମତ ଦେଇଛନ୍ତି । ତାଙ୍କ ଅଭିଯୋଗ ଅନୁଯାୟୀ ବାଲିଘାଟ ନିଲାମ ବଦଳରେ ଲଟେରୀ କରିବା ଦ୍ୱାରା ବ୍ୟାପକ ଅନିୟମିତତା ଯୋଗୁଁ ରାଜ୍ୟ ରାଜସ୍ୱରେ ବ୍ୟାପକ କ୍ଷତି ହେବ । ଏହି ଅଭିଯୋଗର ସତ୍ୟତା ନିର୍ଦ୍ଧାରଣ ପାଇଁ ସମ୍ପୂର୍ଣ୍ଣ ଓ ନିରପେକ୍ଷ ତଦନ୍ତର ଆବଶ୍ୟକତା ରହିଛି। ଲଘୁଖଣିଜ ସମ୍ପଦରୁ ରାଜ୍ୟକୁ କେତେ ରାଜସ୍ୱ ମିଳିଛି, କେଉଁ କ୍ଷେତ୍ରରେ ରାଜସ୍ୱ ହାନି ହୋଇଛି ଏବଂ ଏଥିପାଇଁ କେହି ଦାୟୀ କି ନାହିଁ—ତାହା ସ୍ପଷ୍ଟ ହେବା ଦରକାର ବୋଲି ସେ ଦାବି କରିଛନ୍ତି । “ଲୋକଙ୍କ ସମ୍ପଦର ହିସାବ ଲୋକଙ୍କୁ ମିଳିବା ଦରକାର” ବୋଲି ଇଂ ଘଡାଇ ଲଘୁଖଣିଜ କାରବାରରେ ସ୍ୱଚ୍ଛତା, ଜବାବଦେହିତା ଓ ଆଇନସମ୍ମତ ପଦକ୍ଷେପ ଉପରେ ଗୁରୁତ୍ୱ ଦେଇଛନ୍ତି।




















