ଓଡ଼ିଶା ଲିଡ୍ସ(ବ୍ରହ୍ମବରଦା): ରସୁଲପୁର ବ୍ଲକ ଅନ୍ତର୍ଗତ ବ୍ରହ୍ମବରଦା ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ମହା ଆଡମ୍ବର ସହକାରେ ପାଳିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟର ଶତାଧିକ କୁନିକୁନି ଛାତ୍ରଛାତ୍ରୀ ଶ୍ରୀକୃଷ୍ଣ ଓ ରାଧା ବେଶରେ ସଜ୍ଜିତ ହୋଇ ବିଦ୍ୟାଳୟକୁ ଆସିଥିଲେ। ରଙ୍ଗବେରଙ୍ଗ ପୋଷାକ, ମୁକୁଟ, ମୟୂର ପୁଚ୍ଛ ଓ ବଂଶୀଧାରୀ ଛୋଟଛୋଟ ପିଲା ସ୍କୁଲ ପରିବେଶକୁ ଆନନ୍ଦମୟ କରିଥିଲେ । ଏହାକୁ ନେଇ କିଛି ସମୟ ପାଇଁ ବିଦ୍ୟାଳୟରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। କୁନିକୁନି ପିଲାଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ପଞ୍ଚାନନ ରାଉତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲା ବେଳେ ମୁଖ୍ୟବକ୍ତା ଭାବେ ବିଭୂତି ଭୂଷଣ ପାଲ ଯୋଗଦେଇ ପିଲାମାନଙ୍କୁ ଶ୍ରୀକୃଷ୍ଣଙ୍କ ଜନ୍ମ କାହାଣୀ ଓ ତାଙ୍କ ଆଦର୍ଶ ବିଷୟରେ ବୁଝାଇଥିଲେ। ସମ୍ପାଦକ ହେମନ୍ତ କୁମାର ସାହୁ ଓ କୋଷାଧ୍ୟକ୍ଷ ସନାତନ ମଣ୍ଡଳ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ରାଜକୁମାର ବାରିକଙ୍କ ସମେତ ସମସ୍ତ ଗୁରୁଜୀ ଓ ଗୁରୁମା’ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।




















