ଓଡ଼ିଶା ଲିଡ୍ସ(ଦଶରଥପୁର): ଦଶରଥପୁର ପୋଲିସ ପକ୍ଷରୁ ସଡ଼କ ସୁରକ୍ଷା ଦିବସ ପାଳିତ ହୋଇ ଯାଇଛି । ସଡ଼କ ଦୁର୍ଘଟଣାକୁ ରୋକିବା ସହ ସାଧାରଣରେ ଧନ ଜୀବନ ରକ୍ଷା ନିମନ୍ତେ ଲୋକଙ୍କ ମଧ୍ୟରେ ଟ୍ରାଫିକ୍ ନିୟମ ପ୍ରତି ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଥାନା ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ କାଟିଆସ୍ଥିତ କୃଷ୍ଣ ପ୍ରଧାନ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ସଡ଼କ ଉପରେ ଅସାବଧାନତା ଓ ଦୃତଗତିରେ ଗାଡ଼ି ଚାଳନା ଯୋଗୁଁ ଘଟୁଥିବା ଦୁର୍ଘଟଣାକୁ ନେଇ ଛାତ୍ରଛାତ୍ରୀଙ୍କୁ ସଚେତନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଦଶରଥପୁର ଥାନାଧିକାରୀ ସୁବ୍ରତ ସାହୁ ଯୋଗଦେଇ ସଡ଼କ ସୁରକ୍ଷାର ବିଭିନ୍ନ ଦିଗ ଉପରେ ଛାତ୍ରଛାତ୍ରୀ ମାନଙ୍କୁ ସଚେତନ କରିଥିଲେ। ଗାଡ଼ି ଚଳାଇବା ସମୟରେ ହେଲମେଟ୍ ବ୍ୟବହାର କରିବା, ଗାଡ଼ିର ବେଗ ନିୟନ୍ତ୍ରଣରେ ରଖିବା, ଟ୍ରାଫିକ୍ ନିୟମ ପାଳନ କରିବା ଏବଂ ଅସାବଧାନ ଭାବେ ଯାନବାହନ ଚଳାଚଳ ନକରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ହେଲମେଟ୍ ପିନ୍ଧି ଗାଡ଼ି ଚଳାନ୍ତୁ, ଦୃତଗତି ମହାବିପତ୍ତି, ଗାଡ଼ି ଧୀରେ ଚଲାନ୍ତୁ, ପ୍ରତିଟି ଜୀବନ ମୂଲ୍ୟବାନ ପ୍ରଭୃତି ସଚେତନତାମୂଳକ ବାର୍ତ୍ତାମାନ ଦେଇଥିଲେ। ଛାତ୍ରଛାତ୍ରୀମାନେ ନିଜେ ସଡ଼କ ସୁରକ୍ଷା ନିୟମ ପାଳନ କରିବା ସହ ନିଜ ପରିବାର ଓ ସମାଜର ଅନ୍ୟମାନଙ୍କୁ ମଧ୍ୟ ସଚେତନ କରିବାକୁ ପୋଲିସ ପକ୍ଷରୁ ଆହ୍ୱାନ ଦିଆଯାଇଥିଲା।ବିଶେଷକରି ଯୁବପିଢ଼ି ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଡ଼କ ସୁରକ୍ଷା ନେଇ ସଚେତନତା ବଢ଼ିଲେ ଦୁର୍ଘଟଣା ହ୍ରାସ ପାଇବା ସହ ବହୁ ମୂଲ୍ୟବାନ ଧନଜୀବନ ସୁରକ୍ଷିତ ରହିପାରିବ ବୋଲି ମତ ପ୍ରକାଶ ପାଇଥିଲା। ଗାଡ଼ି ଚାଳକ ମାନଙ୍କର ଟିକିଏ ଅସାବଧାନତା ମଧ୍ୟ ବଡ଼ ବିପଦର କାରଣ ହୋଇପାରେ। ତେଣୁ ନିୟମ ମାନି ଯାତାୟାତ କରିବାହିଁ ସୁରକ୍ଷିତ ଜୀବନର ମୂଳମନ୍ତ୍ର ବୋଲି କୁହାଯାଇଥିଲା। ଏହି ଅବସରରେ ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀମାନଙ୍କ ସମେତ ଦଶରଥପୁର ଥାନା କର୍ମଚାରୀ ଓ ସ୍ଥାନୀୟ ବାସିନ୍ଦାମାନେ ଉପସ୍ଥିତ ରହି ସଡ଼କ ସୁରକ୍ଷାର ଏହି ବାର୍ତ୍ତାକୁ ସମାଜର ପ୍ରତ୍ୟେକ ସ୍ତରରେ ପହଞ୍ଚାଇବା ପାଇଁ ସଂକଳ୍ପ କରିଥିଲେ।




















