ଓଡ଼ିଶା ଲିଡ୍ସ(କୃଷ୍ଣପ୍ରସାଦ): କୃଷ୍ଣପ୍ରସାଦ ବ୍ଲକ୍ର ବିଭିନ୍ନ ଗ୍ରାମାଞ୍ଚଳରେ ଏବେ ବାରହା ଆତଙ୍କ ଦେଖା ଦେଇଛି । ବିଶେଷ କରି ଓରା, ଖିରିସାହି, ଦେଉଳପଡ଼ା, ପୁରୁଷୋତ୍ତମପୁର, ମାଲୁଦ, ସାତପଡ଼ା, ବାଲିକୁଦା, ବାସୁଦେବପୁର, ବିକ୍ରମପୁର, ଗଙ୍ଗାଧରପୁର, ଜଗନ୍ନାଥପୁର ପାଟଣା, ମଧୁସୂଦନପୁର, ମୋହନପୁର, ନାରାୟଣପୁର ପାଟଣା, ରଘୁନାଥପୁର, ଅନନ୍ତପୁର, ବ୍ରହ୍ମପୁର, ଗୋପୀନାଥପୁର ଏବଂ ମାର୍କଣ୍ଡପୁର ସମେତ ବହୁ ଅଞ୍ଚଳରେ ରାତିରେ ବାରହାପଲ ପଶି ବ୍ୟାପକ ଫସଲ ନଷ୍ଟ କରୁଥିବା ଜଣାପଡ଼ିଛି । ରାତି ହେଲେ ଏହି ବଣୁଆ ଜନ୍ତୁଗୁଡ଼ିକ ଗାଁ ମୁହାଁ ହୋଇ କ୍ଷେତରେ ଥିବା ଧାନ, ପନିପରିବା ଓ ବିଭିନ୍ନ ଫସଲକୁ ନଷ୍ଟ କରି ଦେଉଛନ୍ତି । ବିଭିନ୍ନ ଚାଷ ଏହି ବାରହାଙ୍କ ପାଇଁ ମାଟିରେ ମିଶିଯାଉଥିବା ନେଇ ସୂଚନା ମିଳିଛି । କେତେକ ସ୍ଥାନରେ ରାତିରେ ଜଗି ରହିବା ମଧ୍ୟ ବିପଦଜନକ ସାଜିଛି, ଯାହାଫଳରେ ସାଧାରଣ ଗ୍ରାମବାସୀ ଓ ଚାଷୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି । ଚାଷୀମାନଙ୍କର ଏହି ଦୁର୍ଦ୍ଦଶା ପ୍ରତି ସ୍ଥାନୀୟ ପ୍ରଶାସନ ଓ ବନ ବିଭାଗ ପକ୍ଷରୁ ଦୃଷ୍ଟି ଦିଆଯାଉ ନଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି । ବନ ବିଭାଗ ତୁରନ୍ତ ଏ ଦିଗରେ ପଦକ୍ଷେପ ଗ୍ରହଣ କରିବା ସହିତ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରାଯିବାକୁ ଦାବି ହୋଇଛି ।




















